କୂଟନୈତିକ ସମାବେଶ ସ୍ଥଗିତ ରଖିଲେ ମହାରାଣୀ ଏଲିଜାବେଥ୍‌

ଲଣ୍ଡନ,୨୮।୨: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ବହିର୍ବ୍ୟାପାର କାର୍ଯ୍ୟାଳୟର ସୁପାରିସ୍‌ କ୍ରମେ ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଆସନ୍ତା ସପ୍ତାହରେ ହେବାକୁ ଥିବା କୂଟନୈତିକ ସମାବେଶକୁ ସ୍ଥଗିତ ରଖିଛନ୍ତି। ବଙ୍କିଙ୍ଗ୍‌ହାମ୍‌ ପ୍ରାସାଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୯୫ ବର୍ଷୀୟା ରାଣୀ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିଲେ ମଧ୍ୟ ବୁଧବାର ହେବାକୁ ଥିବା ବାର୍ଷିକ ଉତ୍ସବକୁ ବାତିଲ କରିଥିଲେ। ଶତାଧିକ ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ତେବେ କୂଟନୈତିକ ସମାବେଶ ତାଙ୍କ ଅସୁସ୍ଥତା ପାଇଁ ନୁହେଁ, ବରଂ ୟୁକ୍ରେନ ଯୁଦ୍ଧ ଯୋଗୁ ବାତିଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ରାଣୀ ନିକଟରେ କୋଭିଡ୍‌ରୁ ଆରୋଗ୍ୟ ହୋଇଥିବାବେଳେ ସେ କୌଣସି ସମାବେଶରେ ଯୋଗ ଦେଉନାହାନ୍ତି। ମାର୍ଚ୍ଚ ୧୪ରେ ଓ୍ବେଷ୍ଟମିନିଷ୍ଟର ଆବେରେ କମନଓ୍ବେଲ୍‌ଥ ସୈନ୍ୟଙ୍କୁ ସମ୍ମାନ ପ୍ରଦାନ ଉତ୍ସବରେ ରାଣୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Share