ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେନାହିଁ ଏସବୁ ଦେଶର କୌଣସି ପ୍ରତିନିଧି

ଲଣ୍ଡନ,୧୫ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତେଷ୍ଟି ପ୍ରକ୍ରିୟା ସୋମବାର ଅର୍ଥାତ୍ ୧୯ ସେପ୍ଟେମ୍ବରରେ କରାଯିବ । ବ୍ରିଟେନରେ ଦଶକ ପରେ ଏମିତି ଏକ ସୁଯୋଗ ଆସିଛି ଯେଉଁଠି ଏତେ ବଡ ସଂଖ୍ୟାରେ ରାଜ ପରିବାର ଓ ସାରା ବିଶ୍ୱର ରାଷ୍ଟ୍ରାଧ୍ୟକ୍ଷ ଏକାଠି ହେଉଛନ୍ତି । ବ୍ରିଟେନ ତଥା ରାଜପରିବାର ପାଇଁ ଏହା ଦୁଃଖର ସମୟ ସତ ହେଲେ ଏହା ଏମିତି ଏକ ସୁଯୋଗ ଯେତେବେଳେ ବହୁ ସଂଖ୍ୟାରେ ଲୋକେ ମହାରାଣୀଙ୍କୁ ଶେଷ ବିଦାୟ ଦେବାକୁ ପହଞ୍ଚିବେ । ମହାରାଣୀଙ୍କ ବିଦାୟ ସମ୍ପୂର୍ଣ୍ଣ ସମ୍ମାନର ସହ ଓ ଠିକ ଭାବେ ହେଉ ଏଥିପାଇଁ ଆସୁଥିବା ଲୋକଙ୍କ ଚୟନ ବି କରାଯାଇଛି । ଏହି ହିସାବରେ ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପଠାଯାଇଛି । ଏହି ଅବସରରେ ରାଷ୍ଟ୍ରାଧ୍ୟକ୍ଷ ଓ ଗଣ୍ୟମାନ୍ୟ ବିଦେଶୀ ଅତିଥିଙ୍କ ସହ ୫୦୦ ଲୋକଙ୍କୁ ଅନୁମତି ମିଳିଛି ।
ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ରୁଷିଆ, ବେଲାରୁଷ ମ୍ୟାନମାରର କୌଣସି ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ସୂଚନାଯୋଗ୍ୟ, ବ୍ରିଟେନ ଫେବୃୟାରୀ ୨୦୨୧ରେ ସେନା ଆକ୍ରମଣ ପରେ ମ୍ୟାନମାର ସହ ରାଜନୈତିକ ସମ୍ପର୍କ କମ କରି ଦେଇଛି । ରୁଷିଆ ସହ ୟୁକ୍ରେନ ଯୁଦ୍ଧ ଯୋଗୁ ବ୍ରିଟେନର କୁଟନୈତିକ ସମ୍ପର୍କ ଶେଷ ହୋଇଯାଇଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ପ୍ରବକ୍ତା ପ୍ରଥମରୁ ପୁଟିନଙ୍କ ବ୍ରିଟେନ ଗସ୍ତକୁ ମନା କରି ଦେଇଥିଲେ । ବେଲାରୁଷ ରାଷ୍ଟ୍ରପତି ଆଲେକଜ୍ୟାଣ୍ଡର ଲୁକାଶୌକୋ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ନିକଟତର ହୋଇଥିବାରୁ ତାଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ ।

Share