ପଦବୀ ଛାଡିବେ ମହାରାଣୀ ମାର୍ଗେଟ ଦ୍ୱିତୀୟ: କଲେ ଘୋଷଣା…

କୋପେନହେଗେନ,୧।୧ : ଡେନମାର୍କର ରାଣୀ ମାର୍ଗେଟ ଦ୍ୱିତୀୟ ନୂଆ ବର୍ଷରେ ସମସ୍ତଙ୍କୁ ଚକିତକାରୀ ଖବର ଦେଇଛନ୍ତି। ସେ ତାଙ୍କର ୫୨ ବର୍ଷର ଶାସନ ଶେଷ କରିବାକୁ ଘୋଷଣା କରିଛନ୍ତି। ରାଣୀ କହିଛନ୍ତି ସେ ୨୦୨୪ ଜାନୁଆରୀ ୧୪ ରେ ଇସ୍ତଫା ଦେବେ ଏବଂ ତାଙ୍କ ବଡ଼ପୁଅଙ୍କୁ ସିଂହାସନ ହସ୍ତାନ୍ତର କରିବେ।

ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ ୮୩ ବର୍ଷୀୟ ରାଣୀ ନୂଆ ବର୍ଷ ଅବସରରେ ଏକ ଲାଇଭ ଟିଭି ଭାଷଣ ଦେଉଥିଲେ, ଯେତେବେଳେ ହଠାତ ସେ ତାଙ୍କ ଅବସର ଘୋଷଣା କରିଥିଲେ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ।ରାଣୀ ମାର୍ଗେଟ ଦ୍ୱିତୀୟ ସିଂହାସନରେ ଅର୍ଦ୍ଧ ଶତାବ୍ଦୀ ପୂରଣ କରିଛନ୍ତି। ତାଙ୍କର ୫୨ ବର୍ଷ ଶାସନ କାଳରେ ସେ ଡେନମାର୍କ ରାଜତନ୍ତ୍ରକୁ ଆଧୁନିକୀକରଣ କରିବା ପାଇଁ ଯାହା କରିଥିଲେ ସେଥିପାଇଁ ତାଙ୍କୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି ।

୧୯୭୨ ମସିହାରୁ ରାଣୀ ମାର୍ଗେଟ ଦ୍ୱିତୀୟ ଡେନମାର୍କର ଶାସକ ରହିଆସିଛନ୍ତି। ଫେବୃଆରୀରେ ହୋଇଥିବା ସଫଳ ମେରୁଦଣ୍ଡ ଅପରେଶନ ବିଷୟରେ ସେ କହିଛନ୍ତି, ’ମୁଁ ୨୦୨୩ ଆରମ୍ଭରେ ମେରୁଦଣ୍ଡ ସର୍ଜରୀ ପରେ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲି। ତେଣୁ ମୁଁ ସ୍ଥିର କରିଛି ବର୍ତ୍ତମାନ ଗାଦି ଛାଡିବାର ଉପଯୁକ୍ତ ସମୟ ।
ସେ କହିଛନ୍ତି, ’ମୋ ବାପାଙ୍କ ଉତ୍ତରାଧିକାରୀ ହେବାର ୫୨ ବର୍ଷ ପରେ, ଜାନୁଆରୀ ୧୪, ମୁଁ ଡେନମାର୍କର ରାଣୀ ପଦରୁ ଇସ୍ତଫା ଦେବି। ଏହା ପରେ ମୋର ବଡ ପୁଅ କ୍ରାଉନ ପ୍ରିନ୍ସ ଫ୍ରେଡେରିକ ଦାୟିତ୍ୱ ଗ୍ରହଣ କରିବେ ।

ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ କହିଛନ୍ତି ତାଙ୍କ ଆଜୀବନ ଉତ୍ସର୍ଗୀକୃତ ତଥା ରାଜ୍ୟ ପାଇଁ ନିରନ୍ତର ଉଦ୍ୟମ ଲାଗି ରାଣୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

Share