Categories: ଜାତୀୟ

ଘରେ ଘରେ ନଳ ଜଳ ଯୋଜନା ଉପରେ ପ୍ରଶ୍ନ ଚିହ୍ନ, ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ୩୬ ଠିକା…

ପାଟନା,୨୨।୯: ବିହାରରେ ଘରେ ଘରେ ନଳ ଜଳ ଯୋଜନା ନେଇ ସାଧାରଣରେ ପ୍ରଶ୍ନ ଚିହ୍ନ ଉଠିଛି। ଏହି ଯୋଜନାରେ ଉପମୁଖ୍ୟନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ପରିବାର ଏବଂ ସମ୍ପର୍କୀୟଙ୍କକୁ ୩୬ ଠିକା ମିଳିଛି। ଏଥିରେ ଉପମୁଖ୍ୟନ୍ତ୍ରୀଙ୍କ ବୋହୂ ମଧ୍ୟ ଅଛନ୍ତି। ତେବେ ଏନେଇ ଉପମୁଖମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ବ୍ୟବସାୟ କରିବା ଦୋଷ ନୁହେଁ।

ତାରକିଶୋରଙ୍କ ବନ୍ଧୁବାନ୍ଧବ ଏବଂ ପ୍ରିୟ ପରିଜନଙ୍କୁ ୫୩ କୋଟିର ଠିକା ମିଳିଛି। ରାଜନେତାଙ୍କ ସମ୍ପର୍କୀୟଙ୍କୁ ଠିକା ପ୍ରଦାନ ଦ୍ୱାରା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗୁଡ୍‌ ଗଭର୍ନାସ୍‌ କେତେ ଦୂର ସଫଳତା ଏବଂ ସ୍ବଚ୍ଛ ନିର୍ମଳ ଭାବେ କାର୍ଯ୍ୟ କରୁଛି ସେ ନେଇ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି।

ପ୍ରାୟ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଯୋଜନା ସଫଳ ରହିଥିବା ସରକାରଙ୍କ ପକ୍ଷରୁ ଦାବି କରାଯାଉଛି। ୧.୦୮ ପଞ୍ଚାୟତ ବୋର୍ଡ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ ୯୫ ପ୍ରତିଶତ ଲକ୍ଷ୍ୟ ପୂରଣ କରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି।

ରାଜ୍ୟ ପିଏଚଇଡ଼ି ଏବଂ ରେଜିଷ୍ଟାର ଅଫ୍‌ କମ୍ପାନୀ ପକ୍ଷରୁ ୨୦ ଜିଲାର ଏହି ଯୋଜନାର କାଗଜ ପତ୍ର ଯାଞ୍ଚ୍‌ ବେଳେ ଏହି ସତ୍ୟ ପଦାକୁ ଆସିଛି। ଉପମୁଖ୍ୟମନ୍ତ୍ରୀଙ୍କ ବୋହୂ ପୂଜା କୁମାରୀଙ୍କ କମ୍ପାନୀର ଜଳ ଯୋଗାଣ କ୍ଷେତ୍ରରେ ଅଭିଜ୍ଞତା ନ ଥିଲେ ମଧ୍ୟ ଠିକା ପ୍ରଦାନ କରାଯାଇଥିଲା। ପରେ ଏହାକୁ ନେଇ ଖୋଳତାଡ଼ ହୋଇଥିଲା। ଏନେଇ ତାରକିଶୋର କହିଛନ୍ତି ଯେ, ସମ୍ପୃକ୍ତ କମ୍ପାନୀଗୁଡ଼ିକ ସହିତ ତାଙ୍କର କୌଣସି ଲିଙ୍କ୍‌ ନାହିଁ।

Share