ଟିକାର ଭିନ୍ନଭିନ୍ନ ଦାମ ନେଇ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ୍‌ …

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟିକାର ଭିନ୍ନଭିନ୍ନ ଦାମ୍‌ ନେଇ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହିତ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ୍‌ ମଧ୍ୟ ଲୋଡ଼ିଛନ୍ତି। ଶୁଣାଣି ସମୟରେ ବିଚାପତି ଏସ୍‌.ଆର୍‌. ଭଟ୍ଟ କହିଛନ୍ତି ଯେ, ସେନା, ରେଲଓ୍ବେର ଡାକ୍ତର କେନ୍ଦ୍ର ସରକାରଙ୍କ ଅଧିନ। ଦେଶରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ଜରୁରୀକାଳୀନ ପରିସ୍ଥିତି ସହିତ ସମାନ। ଏଭଳି ସମୟରେ ସେନା, ରେଲଓ୍ବେର ଡାକ୍ତରଙ୍କୁ କ୍ୱାରାଣ୍ଟାଇନ୍‌, ଟିକାକରଣ ଏବଂ ଅନ୍ୟ ହସ୍ପିଟାଲ ସହାୟତା କାର୍ଯ୍ୟରେ ନିୟୋଜିତ କରାଯିବା ଆବଶ୍ୟକ। କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନାର ଦ୍ୱିତୀୟ ଲହର ଏଭଳି ହେବ ବୋଲି କହାକୁ ଜଣା ନ ଥିଲା। ତେବେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଲଢ଼େଇ ଜାରି ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ଏଭଳି ଉତ୍ତର ଦେଇଛନ୍ତି।

Share