Categories: ଜାତୀୟ

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ ନିର୍ମାଣ କାର୍ଯ୍ୟ ବନ୍ଦଥିବାବେଳେ ସେଣ୍ଟ୍ରାଲ ଭିଷ୍ଟାରେ କାହିଁକି ରହିଛି ଜାରି…

ନୂଆଦିଲ୍ଲୀ,୨୯।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କରିବା ସହିତ ପ୍ରଶ୍ନ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ଥିବାବେଳେ ସେଣ୍ଠ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ କାହିଁକି ଜାରି ରହିଛି ବୋଲି ପ୍ରଧାନ ବିଚାରପତି ଏନ୍‌.ଭି. ରମନା, ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିକାଶ ସିଂ ଖଣ୍ଡପୀଠଙ୍କ ସମ୍ମୁଖରେ କହିଥିଲେ ଯେ, ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ମାତ୍ର ସେଣ୍ଟ୍ରାଲ ଭିଷ୍ଟା କାର୍ଯ୍ୟ ପୂର୍ବପରି ଜାରି ରହିଛି। ଏନେଇ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପଚାରିଥିଲେ କେଉଁ ରାଜ୍ୟ କୋର୍ଟଙ୍କ ନିର୍ଦ୍ଦେଶର ପ୍ରତିପାଳନ କରି ନାହାନ୍ତି।

ଏହାର ଉତ୍ତରରେ ସୋଲିସିଟର ଜେନେରାଲ କହିଥିଲେ ଯେ, ବାୟୁ ଗୁଣବତ୍ତା ଯାଞ୍ଚ୍‌ କରୁଥିବା କମିଟି ପକ୍ଷରୁ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଳୀ ସରକାରଙ୍କୁ ୬ ମାସ ପୂର୍ବରୁ ପ୍ରଦୂଷଣ ସୃଷ୍ଟି କରୁଥିବା ଉଦ୍ୟୋଗକୁ ବନ୍ଦ କରିବା ନେଇ ଚିଠି ଲେଖି ସାରିଛନ୍ତି। ମାତ୍ର କୌଣସି ରାଜ୍ୟ ଏକ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ସୋଲିସିଟର ଜେନେରାଲ କହିଥିଲେ।

ଡିସେମ୍ବର ୧ ସନ୍ଧ୍ୟା ସୁଦ୍ଧା ବାୟୁର ଗୁଣବତ୍ତା ସମ୍ପର୍କିତ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ରେ ହେବ ବୋଲି ଖଣ୍ଡପୀଠ ସୂଚନା ପ୍ରଦାନ କରିଛନ୍ତି।

Share