ପୁଣି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା, ସ୍ପଷ୍ଟ କରୁନି ଶିକ୍ଷା ବିଭାଗ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସୋମବାର ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି। ଏହି ପ୍ରଶ୍ନପତ୍ରର ସଠିକତା ପରୀକ୍ଷା ପରେ ଏବଂ ଯାଞ୍ଚ ପରେ ଜଣାପଡ଼ିବ। ମୋବାଇଲରୁ ମୋବାଇଲକୁ ଘୂରି ବୁଲିଛି ପ୍ରଶ୍ନପତ୍ର ଓ ଉତ୍ତର ସିଟ୍‌। ପୂର୍ବରୁ ମଧ୍ୟ ଏଭଳି ପ୍ରଶ୍ନପତ୍ର ବିଭ୍ରାଟ ନେଇ ଅଭିଯୋଗ ହୋଇଥିଲା ଏବଂ ଏହାକୁ ବୋର୍ଡ ପକ୍ଷରୁ ଅସ୍ବୀକାର କରାଯାଇଥିଲା। ତେବେ ଏ ନେଇ ବୋର୍ଡ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ହେଁ ପୁଣି ଭାଇରାଲ ଅଭିଯୋଗ ବୋର୍ଡ ପାଇଁ ଚିନ୍ତାର ବିଷୟ ହୋଇଛ। କଡ଼ା ନିୟମ ସତ୍ତ୍ୱେ ପ୍ରଶ୍ନପତ୍ର କିଭଳି ଓ କେଉଁଠୁ ପ୍ରଶ୍ନପତ୍ର ଭାଇରାଲ ହେଉଛି ତାହା ସଠିକ୍‌ ଜଣାପଡ଼ିନାହିଁ । ତେବେ ପରୀକ୍ଷା ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ବୋର୍ଡ ପାଖରେ କୌଣସି ଖବର ନାହିଁ। ଏନେଇ କେହି ବୋର୍ଡ ପାଖରେ ଅଭିଯୋଗ ମଧ୍ୟ କରିନାହାନ୍ତି ବୋଲି ବୋର୍ଡ ପକ୍ଷରୁ କୁହାଯାଉଥିଲେ ହେଁ ଯାଞ୍ଚ ହେଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମତ ପ୍ରକାଶ ପାଉଛି। ଏନେଇ କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ ମଧ୍ୟ ସୂଚନା ଦେଇ ନ ଥିବାରୁ ଅଭିଭାବକଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି।

Share