ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ, ପରିକ୍ରମା ମାର୍ଗରେ ଉଡ଼ିଲା ଡ୍ରୋନ୍

ପୁରୀ,୨୭।୫: ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଶସ୍ତ ପରିକ୍ରମା ମାର୍ଗ ଉପରେ ଉଡ଼ୁଛି ଡ୍ରୋନ୍। ଯାହାକୁ ନେଇ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିସର କିମ୍ବା ଏହା ନିକଟସ୍ଥ ନିଷିଦ୍ଧାଞ୍ଚଳ ଉପରେ ଡ୍ରୋନ୍ ଉଡାଇବା ଉପରେ ପୋଲିସ ପ୍ରଶାସନ କଟକଣା ଲଗାଇଥିଲା ବେଳେ ଏହାର ଧଜିଆ ଉଡ଼ିଛି।

ଶ୍ରୀମନ୍ଦିର ସୁରକ୍ଷା ଓ ଏହି ଅଞ୍ଚଳରେ ଶବ୍ଦ ପ୍ରଦୂଷଣକୁ ରୋକିବାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାତ୍ର ପରିକ୍ରମା ମାର୍ଗରେ ଡ୍ରୋନ୍ ଉଡ଼ୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନଜର ରଖୁନଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅନୁମତି ପାଇ ଏହି ଡ୍ରୋନ୍ ଉଡୁଛି ନା ନାହିଁ ତାହାର ତଦାରଖ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନ ପାଖରେ ନିବେଦନ ମଧ୍ୟ ହୋଇଛି।

ସୂଚନା ଥାଉକି, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପରେ ଏଠାରେ ପୋଲିସ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ତେବେ ଆନ୍ତଃ ପରିକ୍ରମା ମାର୍ଗରେ ପୁଲିସ ଓ ସିକ୍ୟୁରିଟି ଗାର୍ଡମାନେ ମୁତୟନ ରହୁଥିବା ବେଳେ ବାହାର ପରିକ୍ରମା ମାର୍ଗ ଜଗିବାକୁ କାହାରି ଦୃଷ୍ଟି ପଡ଼ୁନି । ଏହାର ସୁଯୋଗ ନେଇ ପରିକ୍ରମା ମାର୍ଗ ଉପରେ ଡ୍ରୋନ୍ ଉଡ଼ୁଛି । ଏହି ଡ୍ରୋନ୍ ଯୋଗେ ଶ୍ରୀମନ୍ଦିର ଭିତର ଫଟୋ ନିଆଯାଉଛି ବୋଲି ଅଭିଯୋଗ ହେଉଛି।

Share