Categories: ଖେଳ

ନ୍ୟୁଟ୍ରାଲ ଅମ୍ପାୟରଙ୍କ ପାଇଁ ଦାବି କଲେ ଶାକିବ

ଡର୍ବାନ,୫।୪: ଦକ୍ଷିଣ ଆଫ୍ରିକା ୨୨୦ ରନ୍‌ରେ ବାଂଲାଦେଶକୁ ପ୍ରଥମ ଟେଷ୍ଟରେ ହରାଇବା ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଅନ୍ତିମ ତଥା ଚତୁର୍ଥ ଇନିଂସରେ ଭ୍ରମଣକାରୀ ବାଂଲାଦେଶ ମାତ୍ର ୫୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ଇନିଂସରେ କେଶବ ମହାରାଜ ୭ ଉଇକେଟ ନେଇଥିଲେ। କିନ୍ତୁ ଅନ୍ତିମ ପାଳିରେ ଫିଲ୍ଡ ଅମ୍ପାୟର କିଛି ଭୁଲ ନିଷ୍ପତ୍ତି ନେଇଥିଲେ, ଯାହାକି ଯାଇଥିଲା ବାଂଲାଦେଶ ବିପକ୍ଷରେ। ଏଥି ନେଇ ବାଂଲାଦେଶ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଅଧିନାୟକ ପର୍ଯ୍ୟନ୍ତ ଟୁଇଟରରେ ଅସନ୍ତୋଷ ପ୍ରକାଶ କରିବା ସହ ଆଇସିସିକୁ ନ୍ୟୁଟ୍ରାଲ ଅମ୍ପାୟର ଯୋଗାଇବା ପାଇଁ ଦାବି କରିଛନ୍ତି।

ଦ୍ୱିତୀୟ ଇନିଂସରେ ବାଂଲାଦେଶ ପକ୍ଷରୁ କିଛି ଏଲ୍‌ବିଡବ୍ଲ୍ୟୁ ଅପିଲ କରାଯାଇଥିଲା, ଯାହାକୁ ଅମ୍ପାୟର ନଟ୍‌ ଆଉଟ୍‌ ଦର୍ଶାଇଥିଲେ। କିନ୍ତୁ ରିପ୍ଲେରେ ବଲ ଷ୍ଟମ୍ପରେ ବାଜୁଥିଲା। ଇନିଂସର ୧୯ତମ ଓଭରରେ ଦକ୍ଷିଣ ଆଫ୍ରିକା ବ୍ୟାଟର ସାରେଲ ଏରଓ୍ବିଙ୍କ ନଟ୍‌ ଆଉଟ୍‌ ନିଷ୍ପତ୍ତିକୁ ବାଂଲାଦେଶ ସଫଳତାର ସହ ବଦଳାଇ ଥିଲା। କିନ୍ତୁ ୨୬ତମ ଓଭରରେ କିଗାନ ପିଟରସନଙ୍କ ବିପକ୍ଷରେ ଏଲ୍‌ବିଡବ୍ଲ୍ୟୁ ଅପିଲକୁ ଅମ୍ପାୟର ମନା କରି ଦେଇଥିଲେ। ମାତ୍ର ବାଂଲାଦେଶ ରିଭ୍ୟୁ ନେଇଥିଲା। ରିପ୍ଲେରେ ବଲ ଷ୍ଟମ୍ପରେ ବାଜୁ ଥିବା ଦେଖିବାକୁ ମିଳିଥିଲା।

ପୂର୍ବତନ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟୁଇଟ୍‌ରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। “ମୋ ମତରେ କୋଭିଡ୍‌ ପରିସ୍ଥିତି ସୁଧୁରି ଥିବାରୁ ଆଇସିସିକୁ ନ୍ୟୁଟ୍ରାଲ ଅମ୍ପାୟର ନିୟମକୁ ଫେରାଇ ଆଣିବାର ସମୟ ଆସି ଯାଇଛି” ବୋଲି ସେ ଟୁଇଟ୍‌ କରିଛନ୍ତି।

Share