ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି ନଜରରେ ପ୍ରଶ୍ନପତ୍ର

ଭୁବନେଶ୍ୱର,୧୨।୭(ଅନୁରାଧା ମହାରଣା): ଚଳିତ ମାସ ୧୩ ଓ ୧୪ ତାରିଖରେ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପରୀକ୍ଷା କେନ୍ଦ୍ରଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ପ୍ରଶ୍ନପତ୍ର ସୁରକ୍ଷିତ ରଖିତ୍ବା ଓ ପରୀକ୍ଷାକେନ୍ଦ୍ରରେ ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତି ନେଇ ଉଚ୍ଚ ମାଧ୍ୟମିକ ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସେହିପରି ଏକ୍ସରେଗୁଲାର ଓ ରେଗୁଲାର ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ପ୍ରଦାନରେ ଦ୍ୱନ୍ଦ୍ୱ ନ ରଖିବା ନିମନ୍ତେ ସିଏଚ୍‌ଏସ୍‌ଇ ପକ୍ଷରୁ ଅବଗତ କରାଯାଇଛି। ମଙ୍ଗଳବାର ପରୀକ୍ଷାକେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚତ୍ଥିବାବେଳେ ଏହାକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି ନଜରରେ ରଖାଯାଇଛି।
ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟର ୩୨ଟି ପରୀକ୍ଷା କେନ୍ଦ୍ରରେ ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତ କରାଯିବ। ତେବେ ଏଥିପାଇଁ କେତୋଟି ସର୍ତ୍ତ ରଖାଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଜଣେ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ତୁଲାଇବେ। ତେବେ ସଂପୃକ୍ତ ଶିକ୍ଷୟିତ୍ରୀ ବା ଶିକ୍ଷକଙ୍କ ପୁଅ, ଝିଅ, ସ୍ବାମୀ, ସ୍ତ୍ରୀ, ଭାଇ ଓ ଭଉଣୀ କିମ୍ବା ଅତିନିକଟ ସମ୍ପର୍କୀୟ ଉକ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉ ନ ଥିବା ସୁନିଶ୍ଚିତ କରିବାକୁ କୁହାଯାଇଛି। ପରୀକ୍ଷା ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପରେ ଅନ୍ୟାନ୍ୟ କାର୍ଯ୍ୟଭାର ରହୁଥିବାରୁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ନାହିଁ। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପିଛା ୪୦ଟଙ୍କା ପୈଠ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରାଯାଇଛି। ସେହିପରି ୨୦୨୦ ମସିହା ମଧ୍ୟରେ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଏବଂ ୨୦୨୧ ପରଠାରୁ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ପ୍ରଦାନ ପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ ଦର୍ଶାଯାଇଛି। ଏଥିରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ମଙ୍ଗଳବାର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚତ୍ଥିବାବେଳେ ଏହାକୁ ଷ୍ଟ୍ରଙ୍ଗରୁମ୍‌ରେ ସିସିଟିଭି ନଜରରେ ରଖାଯାଇଛି। ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଉଛି। ସିଏଚ୍‌ଏସ୍‌ଇ ଓ୍ବେବ୍‌ସାଇଟ୍‌ରେ ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଥିବା ଆବେଦନକାରୀଙ୍କୁ ସୂଚନା ଦିଆଯାଇଛି। ସେହିପରି ପରୀକ୍ଷାରେ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହଁ ବୋଲି ସ୍ପଷ୍ଟ କରାଯାଇଛି।

Share