Advertisement

ମନ୍ତ୍ରୀଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ

ସୋନପୁର,୨୫l୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କେଉଟ, ଧିବର ଓ କୈବର୍ତ୍ତ ହଟାଅ ଅଲ୍‌ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କମିଟି ଆବାହକ ଡିଙ୍ଗର କୁମ୍ଭାର ସ୍ବାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମନ୍ତ୍ରୀ ୨୦୦୨ ପୂର୍ବରୁ ପାଠ ପଢ଼ିବା ସମୟରୁ ଅନୁସୂଚିତ ଜାତି ଭାବେ ସମସ୍ତ ସରକାରୀ ସୁବିଧା ନେଇଛନ୍ତି। ଯାହାକି ବେଆଇନ। ସେ ସବୁ ଫେରାଇବା ସହିତ ତୁରନ୍ତ ନୈତିକତା ଦୁଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ମନ୍ତ୍ରୀଙ୍କ ବିରୋଧରେ ଉତ୍ତରାଞ୍ଚଳ ରାଜସ୍ବ କମିଶନଙ୍କ କୋର୍ଟରେ ମାମଲା ବିଚରାଧୀନ ରହିଛି। ସେ କୋର୍ଟ ତାରିଖରେ ହାଜର ହୋଇ ନ ଥିବା କୁମ୍ଭାର ଅଭିଯୋଗ କରିଥିଲେ l ମନ୍ତ୍ରୀ ମହାଲିଙ୍ଗ ମନ୍ତ୍ରୀ ଥିବାରୁ ମାମଲାର ଦଫା ରଫା କରିପାରନ୍ତି ବୋଲି ଅଭିଯୋଗକାରୀ ଡିଙ୍ଗର କୁମ୍ଭାର ଆଶଙ୍କା ପ୍ରକାଶ କରିଛନ୍ତି।

ଯଦି ତୁରନ୍ତ କାର୍ଯାନୁଷ୍ଠାନ ନ ହୁଏ ତା’ ହେଲେ ୯୦ଲକ୍ଷ ଅନୁସୂଚିତ ବର୍ଗ ଲୋକ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ଖବରଦାତା ସମ୍ମିଳନୀରେ କୁମ୍ଭାରଙ୍କ ସହିତ ଆମ ଆଦମୀ ପାର୍ଟିର ସୁବର୍ଣ୍ଣପୁର ଜିଲା ସଭାପତି ସୁରେଶ କଲତା, ଉପସଭାପତି ପୃଥୱୀରାଜ ଜଗଦଲା, ଭୀମ ଆର୍ମି ଜିଲା ସଭାପତି ପ୍ରଦୀପ ଜାଲ ପ୍ରମୁଖ ଉପସ୍ଥିତ ଥିଲେ l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share