ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କର ପ୍ରାରମ୍ଭିକ ତଥା ଉଲ୍ଲେଖନୀୟ ପ୍ରଶାସନିକ ପ୍ରଦର୍ଶନ ସାମ୍ନାକୁ ଆସିଛି। ପ୍ରଶାସନରେ ନିଜର ପରିଚୟ ସୃଷ୍ଟି କରିବାରେ ସେ ସମୟ ନଷ୍ଟ କରିନାହାନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ୩ ଜଣ ଅଭିଜ୍ଞ ଆଇଏଏସ୍ ଅଧିକାରୀଙ୍କ ନାମ ଘୋଷଣା କରିଥିଲେ। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ସୂଚିତ କରୁଥିଲେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମୟରେ କାର୍ଯ୍ୟରତ କୁଲଦୀପ ରାଙ୍କାଙ୍କ ଉତ୍ତରାଧିକାରୀ ଭାବେ ଟି.ରବିକାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ଶର୍ମାଙ୍କ ଟିମ୍କୁ ଆହୁରି ମଜଭୁତ କରିବା ଲାଗି ୨୦୦୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମିସ୍ ଆନନ୍ଧୀ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ପ୍ରଶାସନରେ ନୂତନ ଦୃଷ୍ଟିକୋଣ ଓ ସକ୍ରିୟ ବିଚାରଧାରା ଯୋଡ଼ିବା ଲାଗି ୨୦୧୭ ବ୍ୟାଚ୍ର ଡ. ସୌମ୍ୟା ଝା ସିଏମ୍ଙ୍କ ଯୁଗ୍ମ ସଚିବ ଭାବରେ କାର୍ଯ୍ୟରେ ଯୋଗଦେଇଛନ୍ତି । ପର୍ଯ୍ୟବେକ୍ଷକମାନେ କହିଛନ୍ତି, ଏଭଳି ତ୍ୱରିତ ପଦକ୍ଷେପ କେବଳ ଶର୍ମାଙ୍କ ନେତୃତ୍ୱର ଗତଶୀଳତାକୁ ପ୍ରତିପାଦିତ କରିନାହିଁ, ବରଂ ରାଜସ୍ଥାନ ସମ୍ମୁଖୀନ ହେଉଥିବା ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନ କରିବାର ଅତ୍ୟାବଶ୍ୟକତାକୁ ସୂଚାଇଦେଇଛି। ଏହା ଦର୍ଶାଉଛି ଯେ,ଗେହଲଟ୍ଙ୍କ ନେତୃତ୍ୱାଧୀନ ପୂର୍ବ କଂଗ୍ରେସ ସରକାରଙ୍କଠାରୁ ତାଙ୍କ ସରକାର କିଛି ଭିନ୍ନ କରିବାର ଚାହଁୁଛି। ତଥାପି ପ୍ରଶାସନର ଏହା ପ୍ରାରମ୍ଭିକ ସମୟ।
ତେବେ ଆଗାମୀକୁ ଶର୍ମାଙ୍କ କାର୍ଯ୍ୟଗୁଡ଼ିକ ସ୍ପଷ୍ଟ କରିବ ଯେ, ଭାଜପାରେ ନବାଗତ ନେତୃତ୍ୱ ବହନ କରିଥିବା ଶର୍ମାଙ୍କ ପାଖରେ ଭଲ କାମ କରିବା ପାଇଁ ଦକ୍ଷତା ରହିଛି।
ସୁରକ୍ଷା ଚିନ୍ତା
ନିକଟରେ ସଂସଦରେ ସୁରକ୍ଷା ଭଙ୍ଗ ଘଟଣା ଦେଖିବାକୁ ମିଳିଥିଲା। ଦୀର୍ଘଦିନ ଧରି ଖାଲି ରହିଥିବା ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ସହ ଅଭ୍ୟନ୍ତରୀଣ ସୁରକ୍ଷାର ସମ୍ପର୍କକୁ ଏହା ପଦାକୁ ଆଣିଛି। ଏହା ବ୍ୟତୀତ ଜାତୀୟ ନିରାପତ୍ତା ପ୍ରତି ଆମର ଆଭିମୁଖ୍ୟର ପୁନଃ ମୂଲ୍ୟାୟନରେ ଜରୁରୀ ଆବଶ୍ୟକତାର ଗୁରୁତ୍ୱକୁ ପ୍ରକାଶ କରିଛି। ୨୦୦୧ ଆତଙ୍କବାଦୀ ଆକ୍ରମଣ ପରେ ଘଟିଥିବା ଏହି ଗୁରୁତ୍ୱପୂର୍ଣ୍ଣ ଉଲ୍ଲଂଘନ, ମୁଖ୍ୟ କାର୍ଯ୍ୟଗୁଡ଼ିକର ପୁନଃ ମୂଲ୍ୟାୟନ ବିଶେଷକରି ସର୍ବୋଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ସୁରକ୍ଷାର ପରିଚାଳନା ପାଇଁ ପ୍ରେରିତ କରିଛି। ସମସ୍ୟା ହେଉଛି, ସଂସଦ ସୁରକ୍ଷା ସେବାକୁ ନେତୃତ୍ୱ ଦେବା ପାଇଁ ପୂର୍ଣ୍ଣକାଳୀନ ଯୁଗ୍ମ ସଚିବ ରହିନାହାନ୍ତି। ସମ୍ପ୍ରତି ନିର୍ଦ୍ଦେଶକ ସ୍ତରର ଅଧିକାରୀ ବ୍ରିଜେଶ ସିଂ ଦୀର୍ଘଦିନ ହେବ ଖାଲିଥିବା ସଂସଦରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସୁରକ୍ଷା) ପଦବୀରେ ନିଯୁକ୍ତ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ନଭେମ୍ବର ମଧ୍ୟଭାଗରୁ ୧୯୯୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରଘୁବୀର ଲାଲ ଏହି ପଦବୀରେ ଏକ ବର୍ଷ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ କରିବା ପରେ ଉତ୍ତରପ୍ରଦେଶକୁ ଏଡିଜି (ସୁରକ୍ଷା) ଭାବରେ ସ୍ଥାନାନ୍ତର ହୋଇଥିଲେ। ଅଧିକନ୍ତୁ, ସଂସଦ ସୁରକ୍ଷା ଭଙ୍ଗ ଘଟଣା ସିଆର୍ପିଏଫ୍ ଏବଂ ସିଆଇଏସ୍ଏଫ୍ ପରି ପ୍ରମୁଖ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଅନିଶ୍ଚିତ ସ୍ଥିତିକୁ ନେଇ ସରକାରଙ୍କ ନିଦ ଭାଙ୍ଗିଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସ ଆରମ୍ଭରୁ ଆଇଟିବିପି ଡିଜି ଅନିଶ ଦିନଲ ସିଂଙ୍କୁ ସିଆର୍ପିଏଫ୍ ମହାନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଅଗଷ୍ଟ ମାସରେ ଶିଲ୍ ବର୍ଦ୍ଧନ ସିଂଙ୍କ ଅବସର ପରେ ଆଇପିଏସ୍ ଅଧିକାରୀ ନୀନା ସିଂଙ୍କୁ ତ୍ୱରିତ ସିଆଇଏସ୍ଏଫ୍ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ରହିବା ଜାତୟତା ସୁରକ୍ଷା ପ୍ରତି ବିପଦ । ଏସବୁ ଉପରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ।
ମୁଖ୍ୟ ସଚିବଙ୍କ ଲକ୍ଷ୍ୟ
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭାବରେ ୩ ନୂଆ ଚେହେରଙ୍କୁ ନିଯୁକ୍ତକରି ମୋଦି ସରକାର ପୁଣି ଥରେ ତାଙ୍କର ଅପ୍ରତ୍ୟାଶିତ ପସନ୍ଦକୁ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶ(ୟୁପି)ର ତୀବ୍ର ରାଜନୀତିରେ ସମାନ ଘଟଣାର ପୂର୍ବାନୁମାନ କରାଯାଉଛି। ତେବେ ୟୁପିର ବାବୁମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ଯେ, ମୁଖ୍ୟ ଶାସନ ସଚିବ ଦୁର୍ଗାଶଙ୍କର ମିଶ୍ରଙ୍କ କାର୍ଯ୍ୟକାଳ ପୁଣିଥରେ ବଢ଼ିବ କି? ମିଶ୍ର ପ୍ରଥମେ ସହର ବ୍ୟାପାର ମନ୍ତ୍ରଣାଳୟର ସଚିବ ଥିଲେ। ପରେ ସେ ଡିସେମ୍ବର ୨୦୨୧ରେ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ହୋଇଥିଲେ। ହେଲେ ଚଳିତ ମାସ ମିଶ୍ରଙ୍କ କାର୍ଯ୍ୟକାଳ ବଢ଼ିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହା ତାଙ୍କ ତୃତୀୟ ସମ୍ପ୍ରସାରଣକୁ ସୂଚିତକରେ। କାର୍ଯ୍ୟକାଳ ସମ୍ପ୍ରସାରଣ ହେଲେ ପୂର୍ବଭଳି ହେବାର ସମ୍ଭାବନା ନାହିଁ , ବରଂ ଏହା ୬ ମାସରେ ସୀମିତ ରହିପାରେ। ମିଶ୍ରଙ୍କ କାର୍ଯ୍ୟକାଳ ବଢ଼ିଲେ ରାଜନୈତିକ ବିରୋଧୀମାନଙ୍କ ପକ୍ଷରୁ ଆଇନଗତ ଆହ୍ବାନର ସମ୍ମୁଖୀନ ହେବେ ବୋଲି ଅନୁମାନ କରାଯାଉଛି, ଯେପରି ଇଡି ମୁଖ୍ୟ ଏସ୍.କେ.ମିଶ୍ର ଏବଂ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କ୍ଷେତ୍ରରେ ଘଟିଥିଲା। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଡିସେମ୍ବର ୩୧ ପରେ ମିଶ୍ର ରାଜନୀତିରେ ପ୍ରବେଶକରି ୟୁପିରୁ ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିିପାରନ୍ତି। ତେବେ ମିଶନ ୨୦୨୪ ହାସଲ କରିବା ପୂର୍ବରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରିବାକୁ କେନ୍ଦ୍ରର ଅନିଚ୍ଛାକୁ ଦେଖିଲେ ଏହା ଅସମ୍ଭବ ମନେହୁଏ। ମିଶ୍ର କେନ୍ଦ୍ରର ନିଷ୍ପତ୍ତିକୁ ଖଣ୍ଡନ କରିବାର ସମ୍ଭାବନା ନାହିଁ।
Email: dilipcherian@gmail.com