ମୁମ୍ବାଇ,୩।୪: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ କିଙ୍ଗ୍ସ ପ୍ରଥମ ଦୁଇ ଓଭରରେ ମୟଙ୍କ ଅଗ୍ରଓ୍ବାଲ (୪) ଏବଂ ଭାନୁକା ରାଜପକ୍ଷେ (୯)ଙ୍କ ଉଇକେଟ ହରାଇଥିଲା। ତା’ ପରେ ବ୍ୟାଟିଂ ଆସିଥିବା ଲିଆମ ଲିଭିଂଷ୍ଟୋନ କିଛି ବଲ ଖେଳିବା ପରେ ଗିୟର ବଦଳାଇଥିଲେ। ୫ମ ଓଭରରେ ମୁକେଶ ଚୌଧୁରୀଙ୍କ ଠାରୁ ଲିଭିଂଷ୍ଟୋନ ୨୬ ରନ୍ ଆଦାୟ କରିଥିଲେ। ସେ ୩୨ ବଲରେ ୬୦ ରନ (୫ ଲେଖାଏ ଚୌକା ଓ ଛକା) କରିବା ସହ ଶିଖର ଧାଓ୍ବନ (୩୩)ଙ୍କ ସହ ମିଶି ତୃତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୮୫ ରନ୍। ଏହି ଦୁଇ ବ୍ୟାଟର ଆଉଟ୍ ହେବା ପରେ ବି ବାଉଣ୍ଡ୍ରି ଭାର ସମ୍ଭାଳିଥିଲେ ଜୀତେଶ ଶର୍ମା(୨୬ ରନ୍, ୩ ଛକା)। ସେ ଆଉଟ୍ ହେଲା ବେଳକୁ ପଞ୍ଜାବ ୧୫ ଓଭରରେ ୫ ଉଇକେଟ ହରାଇ ୧୪୭ କରିଥିଲା। ଲାଗୁଥିଲା ପଞ୍ଜାବ ଅତି ସହଜରେ ୨୦୦ ପାର କରିବ। କିନ୍ତୁ ଅନ୍ତିମ ୫ ଓଭରରେ ଲଗାତାର ଉଇକେଟ ନେଇ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା ସିଏସ୍କେ। ଡ୍ବେନ ପ୍ରିଟୋରିଅସ୍ ଓ କ୍ରିସ ଜୋର୍ଡାନ ୨ ଲେଖା ଉଇକେଟ ନେଇ ପଞ୍ଜାବକୁ ୧୮୦/୮ରେ ରୋକି ଦେଇଥିଲେ। ଫଳରେ ଚେନ୍ନାଇକୁ ପଏଣ୍ଟ ଟେବୁଲରେ ଖାତା ଖୋଲିବା ଲାଗି ୧୮୧ ରନ୍ ଦରକାର।