Categories: ଫୁରସତ

ଧୂମପାନ ତ୍ୟାଗ ସମ୍ଭବ

ପ୍ରତିବର୍ଷ ମାର୍ଚ୍ଚ ୧୩ ତାରିଖକୁ ‘ଜାତୀୟ ଧୂମପାନ ବର୍ଜନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏକ ସଦ୍ୟତମ ଆକଳନରୁ ଜଣାପଡିଛି ଯେ, ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୬୦ ଲକ୍ଷ ଲୋକ ଧୂମପାନଜନିତ ରୋଗ ଯୋଗୁ ମୃତ୍ୟୁବରଣ କରିଥାଆନ୍ତି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ଲୋକ (୧୦ ପ୍ରତିଶତ) ଧୂମପାନ କରୁ ନ ଥିଲେ ମଧ୍ୟ ଦ୍ୱିତୀୟ ପ୍ରକାର ଧୂମ (ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌) ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାଆନ୍ତି। ତୃତୀୟ ପ୍ରକାର ତମାଖୁ ଧୂମ ମଧ୍ୟ ସେହିପରି ଗର୍ଭସ୍ଥ ଶିଶୁକୁ ମା’ର ରକ୍ତ ସଞ୍ଚାଳନ ଦ୍ୱାରା ବାହିତ ଧୂମ ରାସାୟନିକ ଦ୍ୱାରା ପ୍ରଭାବିତ କରି ନାନା ରୋଗରେ ପକାଇଥାଏ। ଏପରି କି ବିକଳାଙ୍ଗ ଶିଶୁ ଜନ୍ମ ନେବାର ଆଙ୍କା ଥାଏ।
ପ୍ରଥମ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତିର ଶରୀରକୁ ଯାଏ। ଦ୍ୱିତୀୟ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତି ବାହାରକୁ ଛାଡ଼ିଥାଏ ଏବଂ ସେ ବ୍ୟବହାର କରୁଥିବା ଜଳନ୍ତା ସିଗାରେଟ୍‌ କିମ୍ବା ବିଡିର ଅଂଶରୁ ବାହାରୁଥିବା ଧୂଅଁା। ପରିସଂଖ୍ୟାନ ତଥ୍ୟାନୁଯାୟୀ ଗୋଟିଏ ମାତ୍ର ସିଗାରେଟ୍‌ ପାନ କଲେ ଆମ ଜୀବନରୁ ୧୧ ମିନିଟ୍‌ କ୍ଷୟ ହୋଇଥାଏ। ସମସ୍ତ ପ୍ରକାର ହୃଦ୍‌ରୋଗଜନିତ ରୋଗର ୨୦ ପ୍ରତିଶତ ଧୂମପାନ ଯୋଗୁ ହୋଇଥାଏ। ଆମ ଦେଶରେ ପ୍ରତିବର୍ଷ ହାରାହାରି ୧୦ ଲକ୍ଷରୁ ଅଧିକ ଲୋକ ଧୂମପାନଜନିତ ରୋଗରେ ମୃତ୍ୟୁବରଣ କରିଥାଆନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ)ର ଆକଳନ ଅନୁଯାୟୀ ଭାରତର ୭୦ ପ୍ରତିଶତ ପୁରୁଷ ଏବଂ ୧୩-୧୫ ପ୍ରତିଶତ ମହିଳାମାନେ ଧୂମପାନ କରିଥାଆନ୍ତି।
ନିୟମିତ ଧୂମପାନ କଲେ ହୃଦ୍‌ରୋଗ, ଫୁସଫୁସଜନିତ ରୋଗ ସହିତ ଅନ୍ଧତ୍ୱ, ଦ୍ୱିତୀୟ ପ୍ରକାର ମଧୁମେହ (ଟାଇପ-୨ ଡାଇବେଟିସ୍‌), ଉଚ୍ଚ ରକ୍ତଚାପ, ଯୌନ ଅକ୍ଷମତା, ହାଡର ଦୁର୍ବଳତା ଏପରି କି ଜନ୍ମିତ ଶିଶୁର ବିକଳାଙ୍ଗତା ଇତ୍ୟାଦି ହୋଇଥାଏ। ଧୂମପାନ ଫୁସଫୁସକୁ କ୍ଷତି ପହଞ୍ଚାଇବା ସହିତ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ମାତ୍ରାରେ କ୍ଷତି କରିଥାଏ। ତମାଖୁର ସୂକ୍ଷ୍ମ କଣିକା ଶରୀର ମଧ୍ୟକୁ ଯାଇ ନିମୋନିଆ,ଏମଫିସିମା, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ କ୍ୟାନ୍‌ସର ପରି ଜୀବନନାଶକ ରୋଗ ସୃଷ୍ଟି କରିଥାଏ। ପ୍ରକାର ଭେଦରେ ତମାଖୁ ଧୂମବିହୀନ ଏବଂ ଧୂମଯୁକ୍ତ-ଏହି ଦୁଇ ପ୍ରକାରର ଅଟେ। ଧୂମବିହୀନ ତମାଖୁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ। ଧୂମପାନ ତ୍ୟାଗ ଅତ୍ୟନ୍ତ ଉପକାରୀ ହୋଇଥାଏ। ଧୂମପାନ ତ୍ୟାଗର ମାତ୍ର କେଇ ମାସ ମଧ୍ୟରେ ଅନେକ ଉନ୍ନତି ମିଳିଥାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ହ୍ରାସ, କଫ ଓ କାଶରେ କମ୍‌ ଏବଂ ନିଃଶ୍ୱାସ ନେବାରେ କ୍ଷମତା ବଢ଼ିଥାଏ।
ଧୂମପାନ ଓ ତମାଖୁ ତ୍ୟାଗ କରିବା ଉପାୟ : ପରିବାର, ବନ୍ଧୁମାନଙ୍କର ଦିଗ୍‌ଦର୍ଶନ, ଅନୁରୋଧ, ସହଯୋଗ ଏବଂ ବାରମ୍ବାର ନିରୀକ୍ଷଣ ଧୂମପାନ ତ୍ୟାଗ କରିବା ଲାଗି ଉତ୍ସାହ ବଢ଼ାଇଥାଏ। ଗୋଟିଏ ଥରରେ ଧୂମପାନକୁ ‘ନା’ କରିବା ଉଚିତ। ସୁଗାର ନ ଥିବା ଚୁଇଙ୍ଗମ ବ୍ୟବହାର କରିପାରନ୍ତି। ସ୍ଥଳବିଶେଷରେ ଚୁଇଙ୍ଗମ ସ୍ଥାନରେ ଲବଙ୍ଗ ଓ ଗୁଜୁରାତି ମଧ୍ୟ ବ୍ୟବହାର କରାଯାଇପାରେ। ଯେଉଁମାନେ ଚେନ୍‌ ସ୍ମୋକର ଏବଂ ଦୀଘଦିନ ଧରି ଧୂମପାୟୀ ସେମାନେ ଏଥିରେ ବୈଷୟିକ ଜ୍ଞାନ ଥିବା ବ୍ୟକ୍ତିମାନଙ୍କଠାରୁ ପରାମର୍ଶ ନେବା ଉଚିତ। ଏଥିପାଇଁ ମଧ୍ୟ ‘କୁଇଟ୍‌ ସ୍ମୋକ୍‌ ଥେରାପି’ (ଧୂମପାନ ତ୍ୟାଗ ଚିକିତ୍ସା) ଉପଲବ୍ଧ।
ଧୂମପାନ ତ୍ୟାଗର ମାତ୍ର କେଇଦିନ ମଧ୍ୟରେ ଶୁଙ୍ଘିବା ଶକ୍ତି ଏବଂ ଜିଭର ସ୍ବାଦ ଅନୁଭବ କରିବା ଶକ୍ତିରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ସେହିପରି ମାତ୍ର କେଇ ସପ୍ତାହରେ କଫର ପରିମାଣ କମି ଯାଇଥାଏ ଏବଂ ଫୁସଫୁସର କାର୍ଯ୍ୟରେ ଉନ୍ନତି ଘଟିଥାଏ। ଧୂମପାନ ତ୍ୟାଗର ବର୍ଷେ ଭିତରେ ହୃଦ୍‌ଜନିତ ରୋଗ ହେବାର ଆଶଙ୍କା ପ୍ରାୟ ୫୦ ପ୍ରତିଶତ କମିଯାଏ। ଧୂମପାନ ତ୍ୟାଗ କରିବା ଦ୍ୱାରା ଜୀବନକାଳ ବଢ଼ିଥାଏ। ଏହାଦ୍ୱାରା ନିଜର ଉପକାର ହେବା ସହ ଅନ୍ୟମାନେ ମଧ୍ୟ ଲାଭବାନ ହୋଇଥାଆନ୍ତି। ନିଜକୁ ଅତ୍ୟଧିକ ପଜିଟିଭ ଏବଂ ସ୍ମାର୍ଟ ଲାଗେ।
-ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ, ଅବସରପ୍ରାପ୍ତ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ

Share