Categories: ଖେଳ

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ ଇନିଂସରେ ତାଙ୍କ ସହ ଏଭଳି କିଛି ଘଟିଛି ଯାହା ସେ କେବେ ସ୍ବପ୍ନରେ ବି ଭାବି ନ ଥିଲେ।

ଅଶ୍ୱିନ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୬ ଓଭର ବୋଲିଂ କରିଥିଲେ। ଏହି ସମୟରେ ସେ ୫.୮୭ ହାରରେ ୯୪ ରନ୍‌ ଦେଇ ମାତ୍ର ୧ ଉଇକେଟ ନେଇଥିଲେ। ଅଶ୍ୱିନ ମହଙ୍ଗା ସାବ୍ୟସ୍ତ ହେବା ବହୁତ କମ୍‌ ଦେଖିବାକୁ ମିଳିଥାଏ। ତେବେ ସେ ଇନିଂସର ୮୦ତମ ଓଭରରେ ମୋଟ ୨୦ ରନ୍‌ ଦେଇଥିଲେ। ସେଥିରେ ୩ ଚୌକା ଏବଂ ୧ ଛକା ସାମିଲ ଥିଲା। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଗୋଟିଏ ଓଭରରେ ୨୦ ରନ୍‌ ଦେଇଥିଲେ।

ଏହି ମ୍ୟାଚ୍‌ ପୂର୍ବରୁ ଅଶ୍ୱିନ ନିଜ ଟେଷ୍ଟ କ୍ୟାରିୟରରେ କେବେ ବି ଗୋଟିଏ ଓଭରରେ ୧୭ରୁ ଅଧିକ ରନ୍‌ ଦେଇ ନ ଥିଲେ। ସେହିଭଳି ୨୦୧୬ ପରେ ପ୍ରଥମ ଥର ପାଇଁ ସେ କୌଣସି ଓଭରରେ ୧୭ ଅଥବା ଅଧିକ ରନ୍‌ ଦେଇଛନ୍ତି। କେବଳ ଏତିକି ନୁହେଁ ୨୦ ଥର ପାଇଁ ସେ ଭାରତରେ କୌଣସି ଟେଷ୍ଟ ମ୍ୟାଚ୍‌ର ଇନିଂସରେ ୧ ଉଇକେଟ ନେଇଛନ୍ତି।

ତେବେ ଟିମ୍‌ ଇଣ୍ଡିଆ ଲାଗି ଏହି ଇନିଂସରେ କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ସବୁଠାରୁ ସଫଳ ବୋଲର ପାଲଟିଥିଲେ। ଉଭୟ ୩ ଲେଖାଏ ଉଇକେଟ ନେଇଥିଲେ। ଏହାଛଡ଼ା ମହମ୍ମଦ ସିରାଜ ମଧ୍ୟ ୨ ଉଇକେଟ ନେଇଥିଲେ। ବୁମ୍‌ରା ମଧ୍ୟ କେବଳ ୧ ଉଇକେଟ ହାସଲ କରିପାରିଥିଲେ।

Share