Categories: ଜାତୀୟ

ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଆର.ଜି. କର ପୀଡ଼ିତାଙ୍କ ବାପା: ଝିଅର ମୃତଦେହ ପଡିଥିବାବେଳେ…

କୋଲକାତା,୬ା୯:ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପିଜି ଛାତ୍ରୀଙ୍କ ବାପା କୋଲକାତା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୩୧ ବର୍ଷୀୟା ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ପରିବାର ଲୋକେ ଅଧିକ ତଦନ୍ତ ପାଇଁ ରଖିବାକୁ ଚାହୁଁଥିଲେ। କିନ୍ତୁ ସେମାନଙ୍କୁ ଶବ ସତ୍କାର କରିବାକୁ ବାଧ୍ୟ କରାଯାଇଥିଲା। ସାମ୍ନାରେ ଝିଅର ମୃତଦେହ ପଡ଼ିଥିବାବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ମାମଲା ରଫାଦଫା କରିବା ପାଇଁ ସେମାନଙ୍କୁ ଟଙ୍କା ଯାଚିଥିଲେ ବୋଲି ସେ କହିଛନ୍ତି।
କୋଲକାତାସ୍ଥିତ ଏହି ସରକାରୀ ହସ୍ପିଟାଲ ସମ୍ମୁଖରେ ବୁଧବାର ରାତିରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭରେ ସାମିଲ ହୋଇ ପୀଡ଼ିତାଙ୍କ ମା’ବାପା ଓ ସମ୍ପର୍କୀୟମାନେ ସିଟି ପୋଲିସ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି, ଝିଅର ମୃତଦେହ ସଂରକ୍ଷିତ ରଖିବାକୁ ଆମେ ଚାହୁଁଥିଲୁ। କିନ୍ତୁ ପ୍ରାୟ ୩୦୦ରୁ ୪୦୦ ପୋଲିସ କର୍ମଚାରୀ ଆମକୁ ଘେରି ରହିଥିଲେ। ଘରକୁ ଫେରି ଦେଖିଲୁ ଯେ, ୩୦୦ ପୋଲିସ ବାହାରେ ଛିଡ଼ା ହୋଇଛନ୍ତି। ସେମାନେ ଏପରି ସ୍ଥିତି ସୃଷ୍ଟି କରିଥିଲେ ଯେ, ଆମେ ମୃତଦେହ ସତ୍କାର କରିବାକୁ ବାଧ୍ୟ ହୋଇଥିଲୁ ବୋଲି କହିଛନ୍ତି। ସେଠାରେ କେତେଜଣ ପୋଲିସ ଅଫିସର ସାଦା କାଗଜରେ ପୀଡ଼ିତାଙ୍କ ବାପାଙ୍କ ସ୍ବାକ୍ଷର ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ସେହି କାଗଜଗୁଡ଼ିକୁ ଚିରି ଫୋପାଡ଼ି ଦେଇଥିଲେ। ଆର୍‌.ଜି. କର ହସ୍ପିଟାଲରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ପୂର୍ଣ୍ଣ ସମର୍ଥନ କରି ପୀଡ଼ିତାଙ୍କ ମା’ କହିଛନ୍ତି, ମୁଁ ଶୋଇପାରୁ ନାହିଁ। ତେଣୁ ଅପରାଧୀମାନଙ୍କ ନିଦ ହଜାଇଦେବାକୁ ଚାହୁଁଛି। ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବା ଉଚିତ।
ପ୍ରକାଶ ଯେ, ଅଗଷ୍ଟ ୮ ରାତିରେ ଉକ୍ତ ହସ୍ପିଟାଲରେ ପିଜି ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହାର ଦିନକ ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ସେବେଠୁ ଏହି ପ୍ରସଙ୍ଗରେ ରାଜନୀତି ଜୋର୍‌ ଧରିଛି। ବିରୋଧୀ ଭାଜପା ଶାସକ ଟିଏମ୍‌ସି ବିରୋଧରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନର ଅଭିଯୋଗ ଆଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରିବାରେ ଲାଗିଛି। ଏନେଇ ଟିଏମ୍‌ସି କହିଛି, ପୀଡ଼ିତାଙ୍କ ମା’ବାପା ନ୍ୟାୟ ଚାହଁାନ୍ତି। ସେମାନଙ୍କୁ ନ୍ୟାୟ ମିଳୁ। କିନ୍ତୁ ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ। ବିରୋଧୀ ଏକ ଭିଡିଓ ଭାଇରାଲ କରି ମିଛକୁ ସତ କରିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଶଶୀ ପଞ୍ଜା କହିଛନ୍ତି।

Share