ଚାଇଲ୍ଡ ପର୍ନୋଗ୍ରାଫି ମାମଲାରେ ଆର୍‌. କେଲି ଦୋଷୀ

ଶିକାଗୋ,୧୬ା୯:ଆମେରିକାର ପ୍ରଖ୍ୟାତ ଗାୟକ ତଥା ନିର୍ଦ୍ଦେଶକ ଆର୍‌.କେଲି ଚାଇଲ୍ଡ ପର୍ନୋଗ୍ରାଫି ପ୍ରଯୋଜନା ସହ ଝିଅମାନଙ୍କୁ ଯୌନ ସମ୍ପର୍କ ପାଇଁ ଉସୁକାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କେଲିଙ୍କ ସହର ଶିକାଗୋସ୍ଥିତ ଏକ ଫେଡେରାଲ କୋର୍ଟରେ ପ୍ରାୟ ମାସେ ଧରି ଶୁଣାଣି ଚାଲିବା ପରେ ବିଚାରପତି ବୁଧବାର ଏହି ରାୟ ଶୁଣାଇଛନ୍ତି।
ଏକଦା ବିଶ୍ୱର ଆର୍‌ ଆଣ୍ଡ ବି ଷ୍ଟାର୍ସଙ୍କ ମଧ୍ୟରେ ପରିଗଣିତ ହେଉଥିବା ତଥା ୩ ଥର ଗ୍ରାମି ପୁରସ୍କାର ବିଜେତା ରବର୍ଟ ସିଲ୍‌ଭେଷ୍ଟର କେଲି ଏକ ଯୌନ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ୩୦ ବର୍ଷ ଦଣ୍ଡାଦେଶ ଭୋଗୁଥିବାବେଳେ ଏବେ ତାଙ୍କୁ ଆଉ ଏକ ବଡ଼ ଆଇନଗତ ଝଟ୍‌କା ଲାଗିଛି। କେଲିଙ୍କ ବିରୋଧରେ ଥିବା ୧୩ ମାମଲାରୁ ୬ଟିରେ ଅଭିଯୋଜନକାରୀ ପକ୍ଷ ଜିତିଛନ୍ତି। କିନ୍ତୁ ୨୦୦୮ର ଏକ ଚାଇଲ୍ଡ ପର୍ନୋଗ୍ରାଫି (ଶିଶୁଙ୍କୁ ନେଇ ଯୌନ ଉଦ୍ଦୀପକ ଚଳଚ୍ଚିତ୍ର ନିର୍ମାଣ) ମାମଲାରେ କେଲି ଓ ତାଙ୍କର ଦୁଇଜଣ ପୂର୍ବତନ ସହଯୋଗୀଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇପାରି ନାହିଁ। କେଲିଙ୍କ ପୂର୍ବତନ ବିଜିନେସ୍‌ ମ୍ୟାନେଜର ଡେରେଲ ମ୍ୟାକ୍‌ଡେଭିଡ୍‌ ଏବଂ ପ୍ରାକ୍ତନ କର୍ମଚାରୀ ମିଲ୍ଟନ ଜୁନ୍‌ ବ୍ରାଉନ୍‌ ଦୋଷମୁକ୍ତ ହୋଇଛନ୍ତି। ସଂଘୀୟ ଅଦାଲତରେ ୧୨ ବିଚାରପତି ଦୁଇଦିନ ମଧ୍ୟରେ ପ୍ରାୟ ୧୧ ଘଣ୍ଟା ଧରି ରାୟ ଶୁଣାଇଥିଲେ। ପୂର୍ବରୁ କେଲି ୩୦ ବର୍ଷ ଦଣ୍ଡ ଭୋଗୁଥିବାବେଳେ ଏହି ମାମଲାରେ ଆଉ ୧୦ ବର୍ଷ ଦଣ୍ଡବିଧାନ ହୋଇପାରେ।

Share