Categories: ଜାତୀୟ

ଷଷ୍ଠ ମହଲାରୁ ଡେଇଁଲେ ମଡେଲ୍‌

ଯୋଧପୁର,୩୧।୧: ରାଜସ୍ଥାନର ଯୋଧପୁରର ମଡେଲ୍‌ ଗୁନ୍‌ଗୁନ୍‌ ଉପାଧ୍ୟାୟ ସନ୍‌ସିଟି ଯୋଧପୁରର ରତନଡା ପୋଲିସ ଷ୍ଟେଶନ ନିକଟ ଏକ ହୋଟେଲର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ ସେ ସିଧା ଭୂମିରେ ପଡ଼ିବା ପରିବର୍ତ୍ତେ ତଳେ ପାର୍କିଂ ହୋଇଥିବା କାର ଉପରେ ପଡ଼ିଯାଇଥିଲେ। ଏହି କାରଣରୁ ତାଙ୍କ ଗୋଡ ଏବଂ ଛାତି ହାଡ ଭାଙ୍ଗି ଯାଇଥିଲେ ମଧ୍ୟ ଜୀବନ ରକ୍ଷା ହୋଇଯାଇଛି। ଗୁନ୍‌ଗୁନ୍‌ଙ୍କୁ ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଏବେ ସେ ବିପଦମୁକ୍ତ ଥିବା କୁହାଯାଉଛି। ଏହି ଦୁର୍ଘଟଣା ପରେ ଗୁନ୍‌ଗୁନ୍‌ଙ୍କ ବାପା ଜଣେ ଯୁବକ ନାଁରେ ବ୍ଲାକମେଲ କରିବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ଗୁନ୍‌ଗୁନ୍‌ଙ୍କ ପିତା ମାଣ୍ଡିରେ ବ୍ୟବସାୟ କରନ୍ତି। ଗୁନ୍‌ଗୁନ୍‌ ମଡେଲିଂ କରନ୍ତି। ଆତ୍ମହତ୍ୟା ଉଦ୍ୟମର କାରଣ ପ୍ରକାଶ କରାଯାଇ ନାହିଁ।
ଗୁନ୍‌ଗୁନ୍‌ ହୋଟେଲରୁ ତାଙ୍କ ବାପାଙ୍କୁ ଫୋନ କରି ସେ ଆତ୍ମହତ୍ୟା କରିବାକୁ ଯାଉଥିବା କଥା କହିଥିଲେ। ଏହା ଶୁଣି ତାଙ୍କ ବାପା ପୋଲିସକୁ ଫୋନ କରି ସାହାଯ୍ୟ ମାଗିଥିଲେ। ପୋଲିସ ଗୁନ୍‌ଗୁନ୍‌ଙ୍କ ଫୋନ ଟ୍ରାକ କରି ହୋଟେଲ ପହଞ୍ଚିଥିଲା। ହେଲେ ସେତେବେଳକୁ ସେ ହୋଟେଲର ଷଷ୍ଠ ମହଲାରୁ ଡେଇଁ ସାରିଥିଲେ।

Share