ଯାଜପୁର,୮ା୯(ହର୍ଷବର୍ଦ୍ଧନ ବେହେରା) : ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଖରିଫ ସହିତ ରବି ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରିବାକୁ ଧାର୍ଯ୍ୟ ହୋଇଛି। କିନ୍ତୁ ଯାଜପୁର ଜିଲାରେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନ କରି କେବଳ ଖରିଫ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ହେଉଥିବା ସୂଚନା ମଳିଛି। ଫଳରେ ଚାଷୀଙ୍କ ରବି ଧାନ ଚାଷ ଆଶା ଫସର ଫାଟିଛି। ନଭେମ୍ବର କିମ୍ବା ଡିସେମ୍ବର ପରେ ଜିଲାର ବ୍ରାହ୍ମଣୀ, ଖରସ୍ରୋତା, ବିରୁପା, ତଣ୍ଟିଘାଇ ଆଦି ନଦୀନାଳରେ ଆବଶ୍ୟକ ପରିମାଣର ପାଣି ଉପଲବ୍ଧ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ବିଭାଗସ୍ତରରେ କୁହାଯାଉଛି। ଏହାସହ କଳିଙ୍ଗନଗର ଶିଳ୍ପ କାରଖାନାଗୁଡିକୁ ବ୍ରାହ୍ମଣୀ ଏବଂ ଏହାର ଶାଖା ଖରସ୍ରୋତା ନଦୀର ଉପରମୁଣ୍ଡରୁ ହେଉଥିବା ଜଳଯୋଗାଣରେ ଯେପରି ବାଧା ନ ହେବ ସେଥିପାଇଁ ଜାଣିଶୁଣି ଏଭଳି ଚକ୍ରାନ୍ତ ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି।
ଯାଜପୁର ଜିଲାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ରବି ଋତୁରେ ୨୪୫୬ ହେକ୍ଟର ଜମିରେ ଚାଷ କରିବାକୁ ବିଭାଗୀୟ ପ୍ରସ୍ତାବ ରହିଥିଲା। ଏହାସହ ବୃହତ୍ ଜଳସେଚନ ପ୍ରକଳ୍ପରେ ୫୦୮୫ ହେକ୍ଟର, କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ୨୬୭୬ ହେକ୍ଟର, କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପରେ ୨୩୨୨୧ ହେକ୍ଟର ଭାବେ ସମୁଦାୟ ୩୩୪୩୮ ହେକ୍ଟର ଜମିରେ ରବି ଚାଷ କରାଯିବ। କେବଳ ମେଗା ଉଠା ଜଳସେଚନ ପ୍ରକଳ୍ପରେ ରବି ଏବଂ ଖରିଫରେ ୧୨,୮୦୦ ହେକ୍ଟର ଜମିରେ ସେଚ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ଏହିମର୍ମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ୧୨ା୧୨ା୨୦୨୨ରେ ସମସ୍ତ ଜିଲାପାଳମାନଙ୍କୁ ଜଳସେଚନ ସଂକ୍ରାନ୍ତରେ ବ୍ଲକ ଏବଂ ଜିଲାସ୍ତରରେ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାସ୍ତବରେ ଜିଲାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହେବାର ପ୍ରାୟ ୧୦ ବର୍ଷ ଅତିକ୍ରାନ୍ତ ହୋଇ ସାରିିଥିଲେ ହେଁ ଧାର୍ଯ୍ୟ ଜମିରେ ଜଳସେଚନ ହୋଇ ପାରିନାହିଁ। ଜିଲାରେ ୫୭.୬୦ ହେକ୍ଟର ଧାନ ଚାଷ, ୦.୪୦ ହେକ୍ଟର ବିରି, ୦.୬୫ ହେକ୍ଟର ଅନ୍ୟାନ୍ୟ ଡାଲି ଜାତୀୟ, ୧୬.୮୭ ହେକ୍ଟର ପନିପରିବା, ୦.୦୩ ହେକ୍ଟର ତନ୍ତୁ, ୦.୭୦ ହେକ୍ଟର ମସଲା ଜାତୀୟ ଏଭଳି ଭାବେ ସମୁଦାୟ ୭୬.୨୫ ହେକ୍ଟର ଜମିରେ ଜଳସେଚନ ହୋଇଥାଏ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଜିଲାରେ ୧୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଯେତେବେଳେ ଆରମ୍ଭ ହୋଇଥିଲା ଚାଷୀମାନେ ଦୁଇ ଫସଲି କରି ଆର୍ଥିକ କ୍ଷେତ୍ରରେ ସୁଦୃଢ ହୋଇ ପାରିବେ ବୋଲି ଆଶା ରଖିଥିଲେ। ହେଲେ ଖରିଫ ଚାଷରେ କେବଳ ଜଳସେଚନ ହୋଇ ପାରିବ ବୋଲି ଯେତେବେଳେ ଚାଷୀ ଜାଣିଲେ ସମସ୍ତ ଆଶା ଚୁରମାର ହୋଇଯାଇଥିବା ମତ ପ୍ରକାଶ ପାଇଛି। ଚାଷ କ୍ଷତିଗ୍ରସ୍ତ ହେଲେ ମୁଣ୍ଡରେ ହାତ ଦେଇ କାନ୍ଦେ ଚାଷୀ। ସେ ଋଣ କରି ଶୁଝି ନ ପାରି ଆମତ୍ହତ୍ୟା କରୁଥିବା ନଜିର ରହିଛି। ଚାଷ ପାଇଁ ଆବଶ୍ୟକ ପାଣି। ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହିକ୍ରମରେ ଜିଲାର ପ୍ରବାହିତ କେଲୁଅ, ବିରୁପା, ତଣ୍ଟିଘାଇ, ଦୁଧେଇ ଓ ଖରସ୍ରୋତା ନଦୀରେ ମେଗା ଉଠାଜଳସେଚନ ପ୍ରକଳ୍ପଗୁଡିକ ଜରିଆରେ ପ୍ରାୟ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା ହୋଇଥିଲା। ଏଥିରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨୦୦୦ ହେକ୍ଟର, ବରୀ ନିର୍ବାଚନ ମଣ୍ଡଳୀର ୩,୭୦୦ ହେକ୍ଟର, ଧର୍ମଶାଳା ଓ କୋରେଇ ନିର୍ବାଚନ ମଣ୍ଡଳୀର ୫,୪୦୦ ହେକ୍ଟର ଏବଂ ଯାଜପୁର ନିର୍ବାଚନ ମଣ୍ଡଳୀର ୧୭୦୦ ହେକ୍ଟର ଜମିରେ ଜଳସେଚନର ଆଶା ରହିଥିଲା। ମାତ୍ର ମେଗା ଉଠା ଜଳସେଚନ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ କାର୍ଯ୍ୟଶୈଳୀରେ ଆନ୍ତରିକତା ଅଭାବରୁ ଏହି ବ୍ୟବସ୍ଥାର ସୁଫଳ ପାଇ ପାରୁନି ଚାଷୀ। ବିଶେଷ କରି ମେଗା ଉଠାଜଳସେଚନ ପ୍ରକଳ୍ପରେ ଅଣଓଡ଼ିଆ ଠିକାଦାରଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ସମ୍ପାଦନ ଚାଷୀକୂଳଙ୍କୁ ହତାଶ କରିଛି। ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଏବଂ ବ୍ୟୟ ଅଟକଳ ଅନୁସାରେ ପ୍ରକଳ୍ପଗୁଡିକ ନିର୍ମାଣ ହୋଇ ପାରିନାହିଁ। ଏହିସବୁ ପ୍ରକଳ୍ପ ପାଇଁ ଆବଣ୍ଟିତ ଅନୁଦାନରୁ ଅନେକ କୋଟି ଟଙ୍କା ହେରାଫେରି ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରବି ଋତୁରେ କ୍ଷେତକୁ ପାଣି ବୁନ୍ଦାଏ ବି ପହଞ୍ଚିବ ନାହିଁ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ମତାମତ ପାଇଁ ମେଗା ଉଠା ଜଳସେଚନ ଯନ୍ତ୍ରୀ ମଧୁ ମୋହନଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।