ମେ’ ପହିଲାରୁ ରବି ଧାନ ସଂଗ୍ରହ

ଭୁବନେଶ୍ୱର,୨୫ା୨(ବ୍ୟୁରୋ):ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ଚାଷୀ ପଞ୍ଜୀକରଣ କାର୍ଯ୍ୟ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ଜରିଆରେ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୁଧବାର ୧୭ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେହି ଜିଲାଗୁଡ଼ିକ ହେଲା ବରଗଡ଼, ବାଲେଶ୍ୱର, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର। ଧାନ ବିକିବା ପାଇଁ ଜମି ମାଲିକଙ୍କ ଅନୁମତି ନେଇ ଭାଗଚାଷୀମାନେ ସେମାନଙ୍କର ନାମ ପଞ୍ଜୀକୃତ କରିପାରିବେ। ସେଥିପାଇଁ ସେମାନଙ୍କୁ ଜମି ମାଲିକଙ୍କ ଆଧାର କାର୍ଡ ସହ ମୋବାଇଲ ନମ୍ବର ଦେବାକୁ କୁହାଯାଇଛି। ଏହାଛଡ଼ା ଭାଗ ଚାଷୀଙ୍କୁ ନାମ ପଞ୍ଜୀକରଣ କରିବା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଚିଠିରେ କୁହାଯାଇଛି। ତେବେ ଚାଷୀ ପଞ୍ଜୀକରଣ କଲାବେଳେ ଯେପରି ଅନାବାଦୀ, ଘରବାଡ଼ି, ଖେଳପଡ଼ିଆ, ପର୍ବତ, ନଦୀ, ରେଳପଥ ଓ ଅଣ ଜଳସେଚିତ ଜମି ପଞ୍ଜୀକୃତ ନ ହେବ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି।

Share