ବିବାଦରେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା

ଜାମନଗର,୨୪।୧୧: ଗୁଜୁରାଟ ବିଧାନସଭାର ଉତ୍ତର ଜାମନଗର ଆସନ ନିର୍ବାଚନ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଲଢୁଛନ୍ତି। ଗୋଟିଏ ପଟେ ନଣନ୍ଦ ନୈନା କଂଗ୍ରେସ ଦଳର ହୋଇଥିବାରୁ ରିବାଭାଙ୍କୁ ବିରୋଧ କରୁଛନ୍ତି ଅନ୍ୟ ପଟେ ବିରୋଧୀମାନେ ମଧ୍ୟ ତାଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି।
ଏବେ ସେ ନିର୍ବାଚନ ପ୍ରଚାର ପୋଷ୍ଟରରେ ଟିମ ଇଣ୍ଡିଆ କ୍ରିକେଟର ଏବଂ ତାଙ୍କ ସ୍ବାମୀ ରବିନ୍ଦ୍ର ଜାଡେଜାଙ୍କ ଫଟୋ ବ୍ୟବହାର କରିଛନ୍ତି। ଫଟୋରେ ଜାଡେଜା ଭାରତୀୟ ଦଳ ଜର୍ସିରେ ନଜର ଆସିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ରିଭାବା ଏହି ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଆପଣ ମଧ୍ୟ ଭାରତର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ରୋଡ ଶୋ’ରେ ଯୋଗ ଦେଇ ପାରିବେ। ତାଙ୍କର ଏହି ପୋଷ୍ଟରୁ ରାଜନୈତିକ ବିବାଦ ଆରମ୍ଭ ହୋଇଛି।
ଆମ ଆଦମୀ ପାର୍ଟି ବିଧାୟକ ନରେଶ ବାଲିଆନ ତାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ପୂର୍ବରୁ ଭାରତୀୟ କ୍ରୀଡ଼ାବିତ୍‌ମାନେ ରାଜନୀତିରୁ ଦୂରେଇ ରହୁଥିଲେ କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ଖୋଲାଖୋଲି ରାଜନୀତି କରୁଛନ୍ତି। ପ୍ରଚାରରେ ଭାରତୀୟ ଜର୍ସି ବ୍ୟବହାର ହେବା ନିନ୍ଦନୀୟ।
ଏହାପୂର୍ବରୁ ରିଭାବା ଏକ ସାକ୍ଷାତକାରରେ କହିଥିଲେ, ତାଙ୍କ ସ୍ବାମୀ ତାଙ୍କ ପାଇଁ ଏକ ବୁଷ୍ଟର ଡୋଜ ପରି। ସେ ସବୁବେଳେ ତାଙ୍କ ରାଜନୀତି କ୍ୟାରିୟରରେ ତାଙ୍କୁ ସମର୍ଥନ କରନ୍ତି।

Share