Byju: ବାୟଜୁସ୍‌ ସିଇଓ ପଦରୁ ହଟିଲେ ରବୀନ୍ଦ୍ରନ୍‌

ନୂଆଦିଲ୍ଲୀ,୨୩ା୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନକାରୀ ଏଡୁଟେକ୍‌ କମ୍ପାନୀ ବାୟଜୁସ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବାୟଜୁ ରବୀନ୍ଦ୍ରନ୍‌ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ୪୪ ବର୍ଷୀୟ ରବୀନ୍ଦ୍ରନ୍‌ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ପରିଚାଳନାଗତ ବିଫଳତା ଯୋଗୁ କମ୍ପାନୀରୁ ବିଦାକରିବା ପାଇଁ ଏକ୍ସଟ୍ରାଅର୍ଡିନାରି ଜେନେରାଲ ମିଟିଂ (ଇଜିଏମ୍‌)ରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ଏହାର ପ୍ରମୁଖ ନିବେଶକ ପ୍ରୋସସ୍‌ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ରବିନ୍ଦ୍ରନଙ୍କୁ ସିଇଓ ପଦରୁ ହଟାଇବା ପାଇଁ ବାଇଜୁସର ଶେୟାରଧାରକ ସହମତି କରିଛନ୍ତି। ତେବେ ରବୀନ୍ଦ୍ରନ୍‌ଙ୍କ ଅନୁପସ୍ଥିତିରେ ନିଆଯାଇଥିବା ଗୃହୀତ ସଂକଳ୍ପନାମାକୁ ବାୟଜୁସ୍‌ ପ୍ରତ୍ୟାଖ୍ୟାନ କରିଛି। ବୋର୍ଡରୁ ରବୀନ୍ଦ୍ରନ୍‌ଙ୍କୁ ବାହାର କରିବା କ୍ଷମତା ଶେୟାରହୋଲ୍ଡର୍ସଙ୍କର ନାହିଁ ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ସୂଚନା ଅନୁଯାୟୀ, ଇଜିଏରେ ୬୦ ପ୍ରତିଶତ ଶେୟାର ହୋଲ୍ଡସର୍ର୍ ରବିନ୍ଦ୍ରନଙ୍କୁ ହଟାଯିବା ସପକ୍ଷରେ ଭୋଟ ଦେଇଥିଲେ । ତେବେ ଏହି ଭୋଟିଂକୁ ଅନ୍ୟ କାରଣରୁ ମଧ୍ୟ ଅମାନ୍ୟ
ବୋଲି କୁହାଯାଇଛି କାରଣ, ଇଜିଏମ ଡକାଯିବା ଏବଂ ସେଥିରେ ଜରୁରୀ ଫୋରମ ନ ଥିବା କାରଣରୁ ଏଜେଣ୍ଡା ଉପରେ ଚର୍ଚ୍ଚା କିମ୍ବା ଭୋଟିଂ ଆଗକୁ ବଢ଼ାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ତେବେ ଏହି ମାମଲାକୁ ନେଇ ନିବେଶକଙ୍କୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ, ଶେୟାରହୋଲ୍ଡର୍ସଙ୍କ ପଦକ୍ଷେପକୁ ଚାଲେଞ୍ଜ କରି କର୍ନାଟକ ହାଇକୋର୍ଟ ବାୟଜୁସ ରବିନ୍ଦ୍ରନ କରିଥିବା ଯାଚିକାକୁ ମାର୍ଚ୍ଚ ୧୩ରେ ଶୁଣାଣି କରିବେ। କୋର୍ଟ ମଧ୍ୟ ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଲାଗୁ ହେବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

Share