Categories: ଖେଳ

ସଚିନଙ୍କ ରେକର୍ଡ ଭାଙ୍ଗିବା ପରେ ଜେଜେମା’ଙ୍କୁ ଭେଟିଲେ ରାଚିନ, ନେଲେ ଆଶିର୍ବାଦ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ୨୩ ବର୍ଷୀୟ ରାଚିନ ରବିନ୍ଦ୍ର ନିଜର ଜବରଦସ୍ତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ପିତାମାତା ଭାରତୀୟ ହୋଇଥିବା ବେଳେ ସେ ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ହେଲେ ବାପା ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ ପ୍ରଶଂସକ ହୋଇଥିବାରୁ ତାଙ୍କ ନା ‘ରାଚିନ’ ରଖିଥିଲେ। ସେ କ୍ରିକେଟର ଭାବେ ଖ୍ୟାତି ଅର୍ଜନ କରିବେ ବୋଲି ପରିବାରଲୋକେ ଆଶା ରଖିଥିଲେ। ଏବେ ତାହା ହିଁ ହେଉଛି। ବିଶ୍ୱକପ୍‌ରେ ୨୫ ବର୍ଷରୁ କମ୍‌ କ୍ରିକେଟର ଭାବେ ସର୍ବାଧିକ ରନ୍‌ ସ୍କୋର କରି ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି।

ନିକଟରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବିଜେତା ହେବା ପରେ ସେ ବାଙ୍ଗାଲୁରୁରେ ଥିବା ନିଜ ଜେଜେ ମା’ଙ୍କୁ ଭେଟିଥିଲେ। ସେଠାରେ ସେ ନକରାତ୍ମକତାକୁ ଦୂର କରିବା ଲାଗି ପୂଜା କରିଥିଲେ। ଏହାର ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ସାରା ବିଶ୍ୱର ପ୍ରଶଂସକଙ୍କ ଗହଣରେ ଆହୁରି ଲୋକପ୍ରିୟ ହୋଇଛନ୍ତି।

୫ ବର୍ଷ ବୟସରେ ରବିନ୍ଦ୍ର ନିଜର କ୍ରିକେଟ ଯାତ୍ରା ଆରମ୍ଭ କରିଥିଲେ। ସେ ପ୍ରତି ବର୍ଷ କ୍ଲବ୍‌ କ୍ରିକେଟ ଖେଳିବାକୁ ବାଙ୍ଗାଲୋର ଆସୁଥିଲେ। ଚଳିତ ବିଶ୍ୱକପ୍‌ରେ ସେ ୯ ଇନିଂସରେ ୫୬୫ ରନ୍‌ କରି ଟପ୍‌ ରନ୍‌ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ଏଥିରେ ୩ ଶତକ ଏବଂ ୨ ଅର୍ଦ୍ଧଶତକ ରହିଛି। ଚଳିତ ବିଶ୍ୱକପ୍‌ରେ ତାଙ୍କର ଶ୍ରେଷ୍ଠ (୧୨୩ ରନ୍‌)ର ରହିଛି। ସେ ଏହି ବିଶ୍ୱକପରେ ନ୍ୟୁଜିଲାଣ୍ଡ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛନ୍ତି।

Share