ଆମେରିକୀୟ ସେନା ମଧ୍ୟରେ ଜାତିଗତ ଭେଦଭାବ: ଉତ୍ତର କୋରିଆର ଦାବି…

ପ୍ୟୋଙ୍ଗୟାଙ୍ଗ,୧୬।୮: ଜଣେ ଆମେରିକୀୟ ସୈନିକ ଉତ୍ତର କୋରିଆରେ ପ୍ରବେଶ କରିବା ମାମଲାରେ ଉତ୍ତର କୋରିଆ ଅନେକ ଦାବି କରିଛି। ପ୍ୟୋଙ୍ଗୟାଙ୍ଗ ବୁଧବାର ଦାବି କରିଛି ଆମେରିକାର ସୈନ୍ୟବାହିନୀ ମଧ୍ୟରେ ଅମାନୁଷିକ ଅସଦାଚରଣ ଏବଂ ଜାତିଗତ ଭେଦଭାବ ଯୋଗୁ ଏହି ସୈନିକ ଜଣକ ବେଆଇନ ଭାବେ ଊତ୍ତର କୋରିଆରେ ପ୍ରବେଶ କରିଛନ୍ତି। ୟୋନହାପ ନ୍ୟୁଜ ଏଜେନ୍ସି ବୁଧବାର ଦେଶର ରାଜ୍ୟ ଗଣମାଧ୍ୟମ କେସିଏନସି ଏହା ରିପୋର୍ଟ କରିଛି।

ଉତ୍ତର କୋରିଆ  ଦାବି କରିଛି ଆମେରିକାର ସୈନିକ ଟ୍ରାଭିସ କିଙ୍ଗ ଉତ୍ତର କୋରିଆ କିମ୍ବା ତୃତୀୟ ଦେଶରେ ଆଶ୍ରୟ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଉତ୍ତର କୋରିଆ ଏପରିକି ଏହାର ଦାବିରେ କହିଛି ଆମେରିକୀୟ ସୈନିକ କିଙ୍ଗ ଆମେରିକୀୟ ସମାଜରେ ଭେଦଭାବ ଯୋଗୁ ଅସୁବିଧାରେ ପଡ଼ିଥିଲେ ଏବଂ ଏହି କାରଣରୁ ସେ ସୀମା ପାର ହୋଇ ଉତ୍ତରକୋରିଆକୁ ଆସିଥିଲେ। ତାଙ୍କୁ ଅମାନୁଷିକ ବ୍ୟବହାର କରାଯାଇଥିବା ଉତ୍ତର କୋରିଆର ଦାବି କରିଛି।

ଉତ୍ତର କୋରିଆର ଅଫିସିଆଲ ନ୍ୟୁଜ ମିଡିଆ ଏଜେନ୍ସି କେସିଏନଏ କହିଛି ଆମେରିକୀୟ ସୈନିକ ଟ୍ରାଭିସ କିଙ୍ଗଙ୍କୁ ପଚରାଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ କହିଥିଲେ ଆମେରିକାର ସୈନ୍ୟବାହିନୀ ମଧ୍ୟରେ ଅମାନୁଷିକ ବ୍ୟବହାର ତଥା ଜାତିଗତ ଭେଦଭାବ ତାଙ୍କୁ ଅସୁବିଧାରେ ପକାଇଛି। ଏହି କାରଣରୁ ସେ ଉତ୍ତର କୋରିଆରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। କଆମେରିକୀୟ ସମାଜର ଅସମାନତା ଯୋଗୁଁ ସେ ଦୁଃଖିତ ଅଛନ୍ତି।

 

Share