Categories: ଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପ: ସିରାଜ ଉଦାହରଣ ସୃଷ୍ଟି କରିଛନ୍ତି

ବ୍ରିସ୍‌ବେନ,୧୪।୧(ପି.ଟି.): ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ଭାରତୀୟ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଭୂମିକାକୁ ଅଷ୍ଟ୍ରେଲିଆ ଅଭିଜ୍ଞ ସ୍ପିନର ନାଥନ ଲିୟନ ପ୍ରଶଂସା କରିଛନ୍ତି। ସିଡ୍‌ନୀରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ଅବସରରେ ଘରୋଇ ଦର୍ଶକ ସିରାଜ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ସିରାଜ ଏହା ଲୋକଲୋଚନକୁ ଆଣି ଏକ ମହତ୍‌ କାର୍ଯ୍ୟ କରିଛନ୍ତି ବୋଲି ବୁଧବାର ଲିୟନ କହିଛନ୍ତି। କ୍ରିକେଟ ହେଉଛି ଭଦ୍ରଲୋକ ଓ ସମସ୍ତଙ୍କ ଖେଳ। ଏଥିରେ ଗାଳିଗୁଲଜ ଓ ବର୍ଣ୍ଣବୈଷମ୍ୟତାର ସ୍ଥାନ ନାହିଁ। ସିରାଜ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ଏହା ଦ୍ୱାରା ଭବିଷ୍ୟତ ଯଦି କେବେ ଏଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ ଖେଳାଳିମାନେ ଆଗକୁ ଆସି ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଲୋକଲୋଚନକୁ ଆଣିବାର ସାହସ ଜୁଟାଇ ପାରିବେ।
ସିରାଜ ଓ ବୁମ୍‌ରାଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା ପରେ ସୁରକ୍ଷାକର୍ମୀ ୬ଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରିଦେଇଥିଲେ। ଏହି ଘଟଣାର ଯାଞ୍ଚ କରାଯାଉଛି। ତୃତୀୟ ଦିବସର ଖେଳ ଶେଷ ହେବା ପରେ ଭାରତୀୟ ଦଳ ଆନୁଷ୍ଠାନିକ ଭାବେ ଏ ନେଇ ଅଭିଯୋଗ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ମଧ୍ୟ ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ରିପୋର୍ଟ ମାଗିଛି।
ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ଲୋକେ ମଜା ଭାବୁଛନ୍ତି। କିନ୍ତୁ ଏହା ଠିକ୍‌ ନୁହେଁ। ଲୋକଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିପାରେ। ଯଦି କୌଣସି ଖେଳାଳିଙ୍କୁ ଏ ନେଇ ମ୍ୟାଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ଠିକ୍‌ ଲାଗୁଥାଏ ତା’ହେଲେ ସେ ନିହାତି କରିବା ଉଚିତ। ଏବେ ଷ୍ଟାଡିୟମରେ ଆବଶ୍ୟକ ସଂଖ୍ୟାରେ ସୁରକ୍ଷାକର୍ମୀ ଦାୟିତ୍ୱରେ ରହୁଛନ୍ତି। ତେଣୁ ଯଦି କେହି ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରନ୍ତି ତା’ହେଲେ ତାଙ୍କୁ ତୁରନ୍ତ ସୁରକ୍ଷାକର୍ମୀମାନେ ବାହାର କରିପାରିବେ। ଏହି ଘଟଣାରୁ ଶିକ୍ଷାଲାଭ କରି ଲୋକେ ଭବିଷ୍ୟତରେ କେବଳ କ୍ରିକେଟ ଦେଖିବା ପାଇଁ ଷ୍ଟାଡିୟମକୁ ଆସିବେ। ଯାହା ଫଳରେ ପଡିଆରେ ଖେଳାଳିମାନଙ୍କୁ ଏ ନେଇ ଚିନ୍ତା କରିବାର ଆବଶ୍ୟକତା ରହିବ ନାହଁ ବୋଲି ଲିୟନ କହିଛନ୍ତି। ଏହି ସମ୍ପୂର୍ଣ୍ଣ ମାମଲାରେ ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତୀୟ ଦଳକୁ ସମର୍ଥନ କରିଛନ୍ତି। ତେବେ ସିରାଜଙ୍କ ଭୂମିକାକୁ ଲିୟନ ପ୍ରଶଂସା କରିଛନ୍ତି।

Share