
ଫୁଲବାଣୀ, ୧୫।୩(ରାକେଶ କୁମାର ରାଉତ): ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଶ୍ରଦ୍ଧା ଦର୍ଶାଇବାର ଏହି ରଙ୍ଗ ଖେଳ ହେଉଛି ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ଏହା ଏମିତି ଏକ ପର୍ବ ଯେଉଁଠି ଟିକିଏ ରଙ୍ଗରେ ଧୋଇ ଯାଏ ବର୍ଷ ବର୍ଷର ରାଗ ଓ ଅଭିମାନ। ଆଜିର ଦିନରେ ଶତ୍ରୁ ମଧ୍ୟ ମିତ୍ର ପାଲଟି ଯାଏ। ଏହି ରଙ୍ଗର ପର୍ବ ଯୋଡ଼ି ଦିଏ ସମ୍ପର୍କର ସେତୁ। ଜାତି, ଧର୍ମ, ବର୍ଣ୍ଣ, ର୍ନିବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରିଥାନ୍ତି । ଏହି ଅବସରରେ କନ୍ଧମାଳ ପୋଲିସ ବ୍ୟରେକ ରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ଜୋର୍ ସୋର୍ରେ ହୋଲିପାଳନ ହେବା ସହ ରାଧାକୃଷ୍ଣଙ୍କୁ ପାଲିଙ୍କିରେ ସହର ବୁଲାଇ ଏସପି ଅଫିସ ପର୍ଯ୍ୟନ୍ତ ଯାଇଥିଲେ l ଏସପି ପୂଜା ଅର୍ଚ୍ଚନା କରିବା ସହ ସମସ୍ତଙ୍କୁ ମିଠା ଖୁଆଇଥିଲେ ।