Advertisement

ରାଧାକୃଷ୍ଣଙ୍କ ନାବକେଳି, କଂସ ବ୍ୟସ୍ତ ବିବ୍ରତ

ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବର ଗୁରୁବାର ସପ୍ତମ ଦିବସରେ ସ୍ଥାନୀୟ ମନାବନ୍ଧ (ଜଳାଶୟ)ରେ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟାଭିନୟ ଅଭିନୀତ ହୋଇଯାଇଛି। ଏକ ଶୋଭାଯାତ୍ରାରେ ରାଧାକୃଷ୍ଣ ମନାବନ୍ଧରେ ପହଞ୍ଚିଥିଲେ। ବାଟରେ ରାଧାକୃଷ୍ଣଙ୍କୁ ସ୍ବାଗତ ସହିତ ପୂଜାର୍ଚ୍ଚନା କରାଯାଇଥିଲା। ଶୋଭାଯାତ୍ରାରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ସାମିଲ ହୋଇଥିଲେ। ମନାବନ୍ଧରେ ପହଞ୍ଚତ୍ବା ପରେ ରାଧାକୃଷ୍ଣ ସୁସଜ୍ଜିତ ଡଙ୍ଗାରେ ବସିଥିଲେ ଏବଂ ନାଉରିଆ କାତ ମାରି ରାଧାକୃଷ୍ଣଙ୍କୁ ଏହି ଜଳାଶୟର ଚତୁଃପାର୍ଶ୍ୱ ବୁଲାଇଥିଲେ। ଏହି ସମୟରେ ଜଳାଶୟର ଚାରିପାଖ ଲୋକାରଣ୍ୟ ହୋଇପଡ଼ିଥିଲା।
ଅନ୍ୟପଟେ ପୂର୍ବଦିନ ଭଳି କଂସ ମହାରାଜ ହାତୀପିଠିରେ ବସି ପାତ୍ରମନ୍ତ୍ରୀଙ୍କ ସହିତ ମଥୁରା ଭ୍ରମଣରେ ବାହାରିଥିଲେ। ଭ୍ରମଣ ସମୟରେ ସେ ସ୍ଥାନୀୟ ଟାଉନ ଥାନାକୁ ଆସିଥିଲେ ଏବଂ ମଥୁରାନଗରୀରେ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାକୁ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ତାଗିଦ କରିଥିଲେ। ସେହିପରି ଶୂନ୍ୟବାଣୀ ଶୁଣିବା ପରଠାରୁ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିବା ମହାରାଜ କଂସ ହାଟପଦାସ୍ଥିତ ଦୁର୍ଗା ମନ୍ଦିରକୁ ଯାଇଥିଲେ ଏବଂ ସେଠାରେ ଦୁର୍ଗାସ୍ତୁତି କରିଥିଲେ। ପରେ ରାଜ ଦରବାରକୁ ଯାଇ ନ୍ୟାୟ ବିଚାର କରିଥିଲେ। ଏହାସହିତ ବିଭିନ୍ନ ସାଂସ୍କୃତିକ ଦଳର ନାଚଗୀତରେ କଂସ ନିଜ ଅଶାନ୍ତ ମନକୁ ଶାନ୍ତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share