ପୁରୀ ଅଫିସ,୧୩ା୧୧: ଶୀତଦିନେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଥିସହ କୋଭିଡ୍ କଟକଣାକୁ ଦୃଷ୍ଟିିରେ ରଖି ଚଳିତବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ବନ୍ଦ ରହିବ। ପ୍ରଶାସନିକ ସ୍ତରରେ ଏ ନେଇ ଆଲୋଚନା ହୋଇଛି। ଖୁବ୍ଶୀଘ୍ର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇବ ବୋଲି ଗୁରୁବାର ପୁରୀ ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ଉପଜିଲାପାଳ ସାହୁ କହିଛନ୍ତି ଯେ, ପ୍ରତିବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମାତ୍ର ଏଥର ଭିଡ଼ ହେଲେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ରାଧାପାଦ ଦର୍ଶନ ବନ୍ଦ ରଖାଯିବାକୁ ପ୍ରଶାସନ ସ୍ଥିର କରିଛି। ସେହିପରି ପ୍ରତିବର୍ଷ କାଳୀପୂଜାରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣ କାଳୀପୀଠରେ ଭକ୍ତଙ୍କ ଭିଡ଼ ହୋଇଥାଏ। ଏ ବର୍ଷ ଯେପରି ଭିଡ଼ ନ ହେବ ସେଥିପ୍ରତି କଡ଼ା ନଜର ରଖାଯିବ।