ଘର ବାହୁଡ଼ା ଖବରକୁ ଖଣ୍ଡନ କଲେ ରାଧାରାଣୀ; କହିଲେ ‘ଭାଜପାରେ ଅଛି, ଆଗକୁ ରହିବି’

ଝାରସୁଗୁଡା ଅଫିସ, ୧୪।୯: ଭାଜପାର ବରିଷ୍ଠ ନେତ୍ରୀ ତଥା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ଭାଜପାରେ ଅଛି ଆଗକୁ ରହିବି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ରାଧାରାଣୀ ବିଜେଡିକୁ ଫେରିବା ନେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହିତ ଆଲୋଚନା କରିଛନ୍ତି। ଏହି କଥାବାର୍ତ୍ତା ବେଳେ ବିଜେଡି ପରିବାରକୁ ସେ ଫେରିବେ ବୋଲି କହିଛନ୍ତି। ବିଜୁ ପରିବାରକୁ ମ୍ୟାଡମଙ୍କୁ ସ୍ବାଗତମ୍‌ ବୋଲି ଏକ ଖବର ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଜୋରଦାର୍‌ ଭାଇରାଲ ହେବାରେ ଲାଗିଛି।ଏହା ହ୍ବାଟ୍ସଆପ୍‌ ଓ ଫେସ୍‌ବୁକରେ ଘୁରି ବୁଲୁଛି। ଏନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ରାଧାରାଣୀ ଏହାକୁ ମିଥ୍ୟା ବୋଲି ଅଭିହିତ କରିଛନ୍ତି। ସେ କୌଣସି ମନ୍ତ୍ରୀ ଓ ନେତାଙ୍କ ସହିତ ଆଲୋଚନା କରି ନାହାନ୍ତି। ତେବେ ତାଙ୍କ ବିରୋଧରେ ଏହା ଏକ ଚକ୍ରାନ୍ତ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share