‘ରାଧେ’ ପାଇଁ ପ୍ରଶଂସକ ପାଗଳ: ରିଲିଜ୍‌ ହେଉ ହେଉ କ୍ରାସ୍‌ ହେଲା ସର୍ଭର

ବମ୍ବେ: ଶେଷ ହୋଇଛି ଦୀର୍ଘଦିନର ଅପେକ୍ଷା। ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘ରାଧେ’। ଟ୍ରେଲର ରିଲିଜ ପରଠାରୁ ପ୍ରଶଂସକଙ୍କ ମନରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢ଼ିଯାଇଥିଲା। ଇଦ୍‌ ଅବସରରେ ଏହା ପରଦାକୁ ଆସିବା ପରେ ସର୍ଭର କ୍ରାସ ହୋଇଥିବା ଜଣାପଡ଼ିଛି।

ଓଟିଟି ପ୍ଲାଟଫର୍ମ ‘ଜି-୫’ରେ ‘ରାଧେ’କୁ ରିଲିଜ କରାଯିବା କ୍ଷଣି ବହୁ ସଂଖ୍ୟାରେ ବ୍ୟବହାରକାରୀ ଯୋଗ ଦେଇଥିଲେ। ଫଳରେ ସର୍ଭର କ୍ରସ ହୋଇଯାଇଥିଲା। ପରେ ଟିମ୍‌ ପକ୍ଷରୁ ଏହାକୁ ତୁରନ୍ତ ସଜଡ଼ା ଯାଇଥିଲେ। ପ୍ରାୟ ଏକ ଘଣ୍ଟା ପରେ ପୁଣି ଥରେ ଆପ୍‌ କାମ କରିଥିଲା।

ଗୋଟିଏ ପଟେ ଜି-୫ ସର୍ଭରରେ ଅସୁବିଧା ହେତୁ ପ୍ରଶଂସକ ନିରାଶ ହୋଇଥିବା ବେଳେ ଅପରପକ୍ଷେ ଏହାର ସବ୍‌ସ୍କ୍ରିପ୍‌ଶନ୍‌ ଥିଲେ ହେଁ ବ୍ୟବହାରକାରୀଙ୍କୁ ଫିଲ୍ମ ଦେଖିବା ପାଇଁ ଅଲଗା ଚାର୍ଜ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଏହାକୁ ନେଇ ପ୍ରଶଂସକ ଖପ୍ପା ହୋଇ ଟୁଇଟ୍‌ କରି ଅଭିଯୋଗ କରୁଛନ୍ତି। କୁହାଯାଉଛି ଫିଲ୍ମର ସମସ୍ତ ରାଇଟ୍ସ ‘ଜି ଷ୍ଟୁଡିଓ’ କିଣିଛି। ଏଥିପାଇଁ କମ୍ପାନୀ ୨୩୫ କୋଟି ଟଙ୍କା ଦେଇଛି।

ସଲମାନଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁ ଦେବା। ଏଥିରେ ସଲମାନଙ୍କ ନାୟିକା ସାଜିଛନ୍ତି ଦିଶା ପଟାନୀ। ଏହାଛଡ଼ା ରଣଦୀପ ହୁଡ୍ଡା ଏବଂ ଜ୍ୟାକି ଶ୍ରଫ ପ୍ରମୁଖ ରହିଛନ୍ତି।

Share