Advertisement

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ରେଡିଓ ଷ୍ଟେଶନ

ଭୁବନେଶ୍ୱର,୧୪ା୩: ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ନୂଆ କମ୍ୟୁନିଟି ରେଡିଓ ଷ୍ଟେଶନ ‘ରେଡିଓ ଭୁବନେଶ୍ୱର ୮୯.୨ ଏଫ୍‌ଏମ୍‌- ଦ ଟେମ୍ପଲ ସିଟି ରେଡିଓ’। ଏଫ୍‌ଏମ୍‌ ବ୍ୟାଣ୍ଡ୍‌ର ୮୯.୨ ମେଗାହର୍ଜରେ ଏହି ଷ୍ଟେଶନଟି ଶୁଣାଯାଇପାରିବ ବୋଲି ଏହାର ପ୍ରତିଷ୍ଠାତା ସୁବ୍ରତ କୁମାର ପତି ସୂଚନା ଦେଇଛନ୍ତି।

ରେଡିଓର ଲୋକପ୍ରିୟତା ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଆଉଟ୍‌ରିଚ୍‌ ପକ୍ଷରୁ ଏହି ଷ୍ଟେଶନ ଆରମ୍ଭ କରାଯିବ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଆଉଟରିଚ୍‌ ମଧ୍ୟରେ ଏହି ରେଡିଓ ଷ୍ଟେଶନ ଆରମ୍ଭ ପାଇଁ ରାଜିନାମା ସ୍ବାକ୍ଷରିତ ହୋଇଛି।

କୃଷି, ଶିକ୍ଷା, କଳା, ସଂସ୍କୃତି, କ୍ରୀଡ଼ା, ଟ୍ରାଫିକ ସଚେତନତା, ପରିବେଶ ପ୍ରଦୂଷଣ, ମାନବ ଅଧିକାର ଭଳି ଅନେକ ବିଷୟକୁ ନେଇ ରେଡିଓ ଭୁବନେଶ୍ୱର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ସମ୍ପର୍କରେ ଭୁବନେଶ୍ୱର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଏହା ସୂଚନା ପ୍ରଦାନ କରିବ।

ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ରକ୍ଷା କରି ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ‘ରେଡିଓ ଭୁବନେଶ୍ୱର’ ଆଉଟରିଚ୍‌ର ଦ୍ୱିତୀୟ କମ୍ୟୁନିଟି ରେଡିଓ ଷ୍ଟେଶନ ବୋଲି ସୁବ୍ରତ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share