ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ଓଡ଼ିଶାକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଯେଉଁଥିରେ ଓଡ଼ିଆ ଘରର ସାମାଜିକ ଚଳଣି ପ୍ରତିଫଳିତ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। ତେବେ ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ପ୍ରକାରର କଳାକାରିଗରି ଦେଖିବାକୁ ମିଳେ। ଯେମିତିକି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ କରଡ଼ଗାଡ଼ିଆ ଗୋବରରେ ତିଆରି ବିଭିନ୍ନ କଳାକୃତିର କଣ୍ଢେଇ ପାଇଁ ସ୍ବତନ୍ତ୍ର ପରିଚୟ ବହନ କରିଛି। ଏମିତି ହସ୍ତକଳା କାରିଗରିରେ ନିଜ ପରିବାର ଗୁଜରାଣ ମେଣ୍ଟାଉଛନ୍ତି ଏହି ଗାଁର ମଞ୍ଜୁଲତା ମହାପାତ୍ର। ସେ କୁହନ୍ତି, ଆମ ପରିବାରର ୩ ଜଣ ସଦସ୍ୟ ଏହି ଗୋବର କଣ୍ଢେଇ ପ୍ରସ୍ତୁତ କରିଥାଉ। ଏହାବାଦ ଗାଁର ବୃଦ୍ଧା ନିଶାମଣି ମହାପାତ୍ର, ବିଦୁଲତା ମହାପାତ୍ର ମଧ୍ୟ ଏହି ହସ୍ତକଳା କାରିଗରି ଜାଣିଛନ୍ତି। ମୋ ବାପଘର ତିଗିରିଆରେ ପ୍ରାୟ ୧୨ବର୍ଷ ବୟସରୁ ଏହି ଗୋବର କଣ୍ଢେଇ କଳାକୃତି ଶିଖିଥିଲି। ଏବେ କରଡ଼ଗାଡ଼ିଆ ଗାଁ ଶାଶୁଘରେ ବଳକା ସମୟରେ ଏହି କଳାକୃତିକୁ ଆରମ୍ଭ କରିଛି। ଏମିତିରେ ପ୍ରାୟ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଗୋବର କଣ୍ଡେଇ ତିଆରି କରି ପରିବାର ପ୍ରତିପୋଷଣ କରୁଛି। ଏହି କଣ୍ଢେଇ ତିଆରି ପାଇଁ ପ୍ରଥମେ ଗାଈ ଗୋବର ଏବଂ କରତଗୁଣ୍ଡକୁ ସଂଗ୍ରହ କରି ଆଣିଥାଉ। ତା’ପରେ ତାକୁ ଭଲଭାବରେ ମିଶାଯାଇଥାଏ। ଗୋବରରେ କରତଗୁଣ୍ଡ ଓ ଫେବିକଲ ଅଠା ମିଶାଇଥାଉ। ପରେ ଏସବୁକୁ ଭଲଭାବେ ଚକଟି ରଖିଥାଉ। ତା’ପରେ ଛାଞ୍ଚରେ ସେହି ମିଶ୍ରଣକୁ ଢାଳିଥାଉ। ଯେଉଁଥିରୁ ବିଭିନ୍ନ କଳାକୃତୀ ବାହାରିଥାଏ। ପ୍ରଥମେ କଳାକୃତିର ଗଣ୍ଡି, ତା’ପରେ ମୁଣ୍ଡ, ପରେ ଗୋଡ଼ ଏବଂ ଅନ୍ୟ ଭାଗକୁ ଛାଞ୍ଚରୁ ବାହାରକରି ଯୋଡ଼ି ଖରାରେ ଶୁଖାଇବାକୁ ପଡ଼ିଥାଏ। ତା’ପରେ ବାଲିକାଗଜ ସାହାଯ୍ୟରେ ହାଲକାଭାବେ ଘଷିଥାଉ। ଏହାଦ୍ୱାର କଣ୍ଢେଇ ଚିକ୍କଣ ହୋଇଥାଏ। ସେଥିରେ ପୁଣି କାଗଜ ଛାପିଥାଉ। ଏହାକୁ ଖରାରେ ଶୁଖାଇବା ପରେ ଖଡ଼ିଗୁଣ୍ଡ ଲେପିଥାଉ। ପୁଣିଥରେ ଖରାରେ ଏହା ଶୁଖିଗଲା ପରେ ସେହି କଳାକୃତି ସୁନ୍ଦର ଦିଶିବାକୁ ବିଭିନ୍ନ ରଙ୍ଗରେ ରଙ୍ଗାଇଥାଉ। ବିଶେଷକରି ବିଭିନ୍ନ ପଶୁପକ୍ଷୀ ଯଥା- ପାରା, କାଉ, ଶୁଆ ଆଦି ଚଢ଼େଇ ସହ ହାତୀ, ଘୋଡ଼ା, ମଇଁଷି, ଭାଲୁ, ଫୁଲଦାନି ଓ ପୁଅଝିଅ କଣ୍ଢେଇ ଆଦି ଗଢ଼ିଥାଉ। ଗୋଟିଏ ଗୋଟିଏ କଳାକୃତିକୁ ୧୦ରୁ ଆରମ୍ଭକରି ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ। ଖରାପାଗ ଦେଖି ଏମିତି ଗୋବର କଣ୍ଡେଇ ତିଆରି କରିଥାଉ। କିନ୍ତୁ ବର୍ଷାଋତୁରେ ଏହି ହସ୍ତକଳା କାମ ବନ୍ଦ ରହେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା ମହୋତ୍ସବରେ ଗୋବର କଣ୍ଢେଇ ବିକ୍ରି ହୋଇଥାଏ। ବିଶେଷକରି ଭୁବନେଶ୍ୱରର ଅଶୋକାଷ୍ଟମୀ, ଅଟ୍ରିର ରଜ, କଟକ ବାଲିଯାତ୍ରା ଓ ପୁରୀ ରଥଯାତ୍ରା ସମୟରେ ଏହାକୁ ବିକ୍ରି ଲାଗି ନେଇଥାଉ। ଏହାଦ୍ୱାରା ଜଣେ ଜଣେ କାରିଗର ମାସିକ ପ୍ରାୟ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରିଥାନ୍ତି।