Categories: ଖେଳ

ପ୍ରଥମ ଥର ଲାଗି ପିତା ହେଲେ ନାଡ଼ାଲ

ନୂଆଦିଲ୍ଲୀ,୯।୧୦:ସ୍ପେନର ଟେନିସ ତାରକା ରାଫେଲ ନାଡାଲ ପ୍ରଥମ ଥର ପାଇଁ ପିତା ହୋଇଛନ୍ତି। ନାଡାଲଙ୍କ ପତ୍ନୀ ମାରିଆ ଫ୍ରାନ୍ସିସ୍କା ପେରେଲୋ ଶନିବାର (ଅକ୍ଟୋବର ୮) ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ପେନର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ ରିଅଲ ମାଡ୍ରିଡ ଏହି ଖବର ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରି ନାଡାଲ ଏବଂ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ବର୍ଷ ଜୁନ ମାସରେ, ୩୬ ବର୍ଷୀୟ ନାଡାଲ ତାଙ୍କ ପତ୍ନୀଙ୍କ ଗର୍ଭଧାରଣ ବିଷୟରେ ସୂଚନା ଦେଇଥିଲେ।

ରିଅଲ ମାଡ୍ରିଡ ଲେଖିଛି, ’ଆମର ପ୍ରିୟ ସମ୍ମାନଜନକ ସଦସ୍ୟ ରାଫେଲ ନାଡାଲ ଏବଂ ମାରିଆ ପେରେଲୋଙ୍କୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମ ପାଇଁ ଅଭିନନ୍ଦନ। ଏହି ମୁହୂର୍ତ୍ତର ଆନନ୍ଦ ବାଣ୍ଟିବାରେ ଆମେ ଆପଣଙ୍କ ସହ ଅଛୁ। ଶୁଭେଚ୍ଛା।’ ସ୍ପେନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ନିଜ ସନ୍ତାନର ନାମ ’ରାଫେଲ’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଏହି ଦେଶରେ ବେଶ ପ୍ରସିଦ୍ଧ ନାମ।

ନାଡାଲ ୨୦୧୯ରେ ତାଙ୍କ ଗର୍ଲଫ୍ରେଣ୍ଡ ମାରିଆ ଫ୍ରାନ୍ସିସ୍କା ପେରେଲୋଙ୍କୁ ବିବାହ କରିଥିଲେ। ନାଡାଲ ଏବଂ ମାରିଆ ୨୦୦୫ ରେ ଡେଟିଂ ଆରମ୍ଭ କରିଥିଲେ। ପ୍ରାୟ ୧୪ ବର୍ଷ ପରସ୍ପରକୁ ଡେଟ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ସ୍ପେନର ସବୁଠାରୁ ଦାମୀ ରିସୋର୍ଟ ’ଲା ଫୋର୍ଟାଲେଜା’ରେ ବିବାହ କରିଥିଲେ। ରାଫେଲ ନାଡାଲ ୧୫୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି।

Share