Categories: ଜାତୀୟ

ମୋଦିଙ୍କ ଫ୍ରାନ୍ସ ଗସ୍ତରେ ପୁଣି ରାଫାଲ ଚୁକ୍ତି ହେବା ଆଶା…

ନୂଆଦିଲ୍ଲୀ,୯।୭ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପୁଣି ଥରେ ହେବାକୁ ଯାଉଛି। ଏହା ରାଫେଲର ନୌସେନା ସଂସ୍କରଣ ହେବ। ଯାହାର ଅର୍ଥ ଏହା ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଏହି ଚୁକ୍ତି ପାଇଁ ଅନ୍ତିମ ରୂପ ଦେବେ ବୋଲି ଚର୍ଚ୍ଚା ହେଉଛି। ଏହାର ମୂଲ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ୨୪-୩୦ ଜେଟ କିଣିବାର ଯୋଜନା ଅଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବୈଠକ ପରେ ରାଫାଲ ଜେଟର ମୂଲ୍ୟ ପ୍ରକାଶ କରାଯାଇପାରେ।

୧୩-୧୪ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସରେ ରହିବେ। ବଷ୍ଟିଲ ଡେ ପରେଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଆମନ୍ତ୍ରଣ କରିଛନ୍ତି। ଏହି ସମୟରେ, ରାଫେଲ ମେରାଇନ ଜେଟ୍ସ ଡିଲକୁ ପିଏମ ଚୂଡ଼ାନ୍ତ ରୂପ ଦେଇପାରିବେ ବୋଲି କୁହାଯାଉଛି। ଭାରତୀୟ ନୌସେନା ରାଫାଲର ଏକ ନୌସେନା ସଂସ୍କରଣ ପାଇବାକୁ ଇଚ୍ଛା ପ୍ରକାଶ କରିଛି। ସାମୁଦ୍ରିକ ତଦାରଖ ପାଇଁ ନୌସେନା ଆମେରିକାର ଏଫ-୧୮ ସୁପର ହର୍ନେଟ ବ୍ୟବହାର କରିଥାଏ। ।ବର୍ତ୍ତମାନ ସାମୁଦ୍ରିକ କ୍ଷେତ୍ରରେ ଚାଇନା ସହ ତିକ୍ତତା ବଢୁଥିବାରୁ ଭାରତୀୟ ନୌସେନାକୁ ମଧ୍ୟ ଏପରି ଶକ୍ତିଶାଳୀ ଜେଟ ଦରକାର।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହେଉଛନ୍ତି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅଧ୍ୟକ୍ଷ। ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗସ୍ତ ପୂର୍ବରୁ, ପରିଷଦର ବୈଠକ ପରେ କେତେ ଜେଟ କ୍ରୟ କରାଯିବ, ଏହାର ମୂଲ୍ୟ କ’ଣ ହେବ ଏବଂ ଏହି ଡିଲର ରୂପ କ’ଣ ହେବ ଏ ସମ୍ପର୍କରେ ଅଧିକ ସୂଚନା ବାହାରକୁ ଆସିପାରେ। ଭାରତରେ ବର୍ତ୍ତମାନ ରାଫେଲର ବାୟୁସେନା ସଂସ୍କରଣ ଅଛି। ଗତ ବର୍ଷ ଫ୍ରାନ୍ସ ସମସ୍ତ ୩୬ ରାଫାଲ ଯୁଦ୍ଧ ବିମାନ ପ୍ରଦାନ କରିଥିଲା। ଦୁଇ ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ସରକାରଙ୍କ ସହ ଏହି ଚୁକ୍ତି ସ୍ବାକ୍ଷର କରି ପାରନ୍ତି। ଏହା ଏକ ସରକାରୀ ଡିଲ ହେବ। ସରଳ ଭାବରେ କହିବାକୁ ଗଲେ କମ୍ପାନୀ ବଦଳରେ ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହେବ।

Share