ଆସିକା, ୬ା୧ (ଡି.ଏନ୍.ଏ): ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଗତ ୩ ତାରିଖରେ ଘରକୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ ପୋଲିସ ଶୁକ୍ରବାର ୨ ଜଣ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଦେବାଶିଷ ସ୍ବାଇଁ ଓ କୈଳାସ ସ୍ବାଇଁ। ସେମାନଙ୍କ ମଧ୍ୟରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କଳାର ଛାତ୍ର ଦେବାଶିଷଙ୍କୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟତାମୂଳକ ଟିସି ଦେଇ କଲେଜରୁ ବହିଷ୍କାର କରିଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୩ ତାରିଖ ମଙ୍ଗଳବାର ଛାତ୍ରୀ ଜଣକ ଅପରାହ୍ନ ପ୍ରାୟ ୨ଟାରେ କଲେଜରୁ ଘରକୁ ଫେରୁଥିବା ବେଳେ କଲେଜ ଫାଟକ ବାହାରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ କଳାର ଛାତ୍ର ଦେବାଶିଷ ସ୍ବାଇଁ, କୈଳାସ ସ୍ବାଇଁଙ୍କ ସମେତ ଅନ୍ୟ ଦୁଇଜଣ ଯୁବକ ମିଶି ତାଙ୍କୁ ରାଗିଂ କରିବା ସହିତ ତାଙ୍କ ନାମ ପଚାରିଥିଲେ ଓ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଛାତ୍ରୀଜଣକ ତାଙ୍କ ଭାଇଙ୍କୁ ଖବର ଦେବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ତାଙ୍କ ଭାଇଙ୍କୁ ମଧ୍ୟ ଧମକଚମକ ଦେଇଥିଲେ। ଏନେଇ ଛାତ୍ରୀଜଣକ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବା ସହିତ ଆସିକା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ୬/୨୩ରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ କରି ଶୁକ୍ରବାର ଅଭିଯୁକ୍ତ କେ.ଲଛମନପଲ୍ଲୀ ଗ୍ରାମର ଦେବାଶିଷ ଓ କୈଳାସଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ଅନ୍ୟପକ୍ଷରେ ଏହି ରାଗିଂ ଘଟଣାକୁ ନେଇ ବୁଧବାର କଲେଜ ଶୃଙ୍ଖଳା କମିଟି ଓ ଆଣ୍ଟିରାଗିଂ ସେଲ୍ ପକ୍ଷରୁ ବୈଠକ ଡକାଯାଇ ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇଥିଲା। କଲେଜ ପରିସରରେ ବିଶୃଙ୍ଖଳିତ ଆଚରଣ ଓ ଅଧ୍ୟୟନରତ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଛାତ୍ର ଦେବାଶିଷଙ୍କୁ ବହିଷ୍କାର ଲାଗି ନିଷ୍ପତ୍ତି ନିଆଯାଇଥିଲା।