Categories: ଜାତୀୟ

ମଜଭୁତ ହେଉଛି ବିରୋଧୀ ଏକତା, ବେଙ୍ଗାଲୁରୁ ବୈଠକରେ ଯୋଗ ଦେବ ଏଏପି

ନୂଆଦିଲ୍ଲୀ,୧୬।୭: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ରବିବାର ଆମ ଆଦମୀ ପାର୍ଟି(ଏଏପି)କୁ ସମର୍ଥନ କରିବ ବୋଲି ପ୍ରସ୍ତୁତ ହୋଇଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରୁଥିବା ସ୍ପଷ୍ଟ ଭାବେ କହିଛନ୍ତି। ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ ସ୍ପଷ୍ଟ ବିରୋଧ ଘୋଷଣା କରିଛି ବୋଲି ଏଏପି ଏମପି ରାଘବ ଚଢା ଟୁଇଟ କରିଛନ୍ତି। ଏହା ଏକ ସକରାତ୍ମକ ବିକାଶ।
କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କହିଛନ୍ତି ଯେ ଆମେ ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରିବୁ। ଆମର ଷ୍ଟାଣ୍ଡ ବହୁତ ସ୍ପଷ୍ଟ, ଆମେ ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ କରିବାକୁ ଯାଉନାହୁଁ। ଜୁଲାଇ ୧୭ରେ ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ଏବଂ କେଜରିୱାଲ ବୋଧହୁଏ ଏହି ବୈଠକରେ ଯୋଗଦେବେ।
ଏହି ବୟାନ ପରେ ଏବେ ଅନୁମାନ କରାଯାଉଛି ଯେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳର ବୈଠକରେ ଆମ ଆଦମୀ ପାର୍ଟି ଯୋଗ ଦେଇପାରେ। ତେବେ ଏହାପୂର୍ବରୁ ଆମ ଆଦମୀ ପାର୍ଟି ରବିବାର ଅପରାହ୍ନ ୪ଟାରେ ରାଜନୈତିକ ବ୍ୟାପାର କମିଟି (ପିଏସି) ର ବୈଠକ ଡାକିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବତ ମାନ ମଧ୍ୟ ପିଏସି ବୈଠକରେ ଯୋଗଦେବେ। ବେଙ୍ଗାଲୁରୁରେ ବିରୋଧୀ ଦଳ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ପିଏସି ବୈଠକ ପରେ ନିଆଯିବାର ସମ୍ଭାବନା ରହିଛି।

Share