Categories: ଜାତୀୟ

ସରକାରୀ ବଙ୍ଗଳା ଖାଲି କରିବେ ରାଘବ ଚଢା!

ନୂଆଦିଲ୍ଲୀ,୭।୧୦: ଆମ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଡ ଝଟକା ଦେଇଛନ୍ତି। କୋର୍ଟ କହିଛନ୍ତି, ଏଏପି ନେତା ରାଘବ ଚଢା ଦାବି କରିପାରିବେ ନାହିଁ ଯେ ଏମ୍‌ପି ପଦ ରଦ୍ଦ ହେବା ପରେ ମଧ୍ୟ ତାଙ୍କୁ ରାଜ୍ୟ ସଭା ସଦସ୍ୟ ଭାବରେ ପୂରା କାର୍ଯ୍ୟକାଳ ମଧ୍ୟରେ ସରକାରୀ ବଙ୍ଗଳା ଦଖଲ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।

ଅତିରିକ୍ତ ଜିଲା ଜଜ ସୁଦର୍ଶନ କୌଶିକ ଏପ୍ରିଲ ୧୮ରେ ପାରିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ରଦ୍ଦ କରି ଏହି ମନ୍ତବ୍ୟ ଦେଇଛନ୍ତି, ଯେଉଁଥିରେ ରାଜ୍ୟ ସଭା ସଚିବାଳୟକୁ ରାଘବ ଚଢାଙ୍କୁ ସରକାରୀ ବଙ୍ଗଳା ଖାଲି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଦେଶ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚଢା କହିଛନ୍ତି ଯେ, ସେ ଠିକ୍‌ ସମୟରେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେ ଏକ ବୟାନରେ କହିଛନ୍ତି, ନିମ୍ନ ଅଦାଲତ ଆରମ୍ଭରୁ ମୋର ଆବେଦନକୁ ସ୍ବୀକାର କରିଥିଲେ ଏବଂ ମୋତେ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରିଥିଲେ। ବର୍ତ୍ତମାନ ସେ ଆଇନ ଆଧାରରେ ମୋର ମାମଲାକୁ ଖାରଜ କରିଦେଇଛନ୍ତି। ମୁଁ ଉପଯୁକ୍ତ ସମୟରେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

Share