ପରିଣୀତିଙ୍କ ହାତ ଧରିବେ ରାଘବ

ମୁମ୍ବାଇ: ଆସନ୍ତା ୨୪ ତାରିଖରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ଲିଡର ରାଘବ ଚଢ଼ାଙ୍କ ବିବାହ ଉତ୍ସବ ରାଜସ୍ଥାନର ଉଦୟପୁରଠାରେ ହେବ। ଏଥିପାଇଁ ଗତ ୧୭ ତାରିଖରୁ ବିବାହ ମହୋତ୍ସବ ଆରମ୍ଭ ହୋଇଯାଇଛି। ଉଦୟପୁରର ପିଛୋଲା ହ୍ରଦ ପାଖରେ ନିର୍ମିତ ହୋଟେଲ ଦି ଲୀଲା ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତି ଅନୁସାରେ ଦୁହିଁଙ୍କ ହାତଗଣ୍ଠି ପଡ଼ିବ। ହୋଟେଲ ତାଜ୍‌ ଲେକ୍‌ ପ୍ୟାଲେସ୍‌ରୁ ରାଘବଙ୍କ ବରଯାତ୍ରୀଗଣ ଡଙ୍ଗା ଯୋଗେ ଲୀଲା ପ୍ୟାଲେସ୍‌ରେ ପହଞ୍ଚିବେ। ଅପରାହ୍ନ ୩ଟା ସମୟରେ ବରକନ୍ୟା ବାହାବେଦି ପ୍ରଦକ୍ଷିଣ କରିବେ। ଏହି ଅବସରରେ ପରିଣୀତି ଡିଜାଇନର ମନିଶ ମଲହୋତ୍ରାଙ୍କ ପ୍ରସ୍ତୁତ ଲେହେଙ୍ଗା ଏବଂ ରାଘବ ଡିଜାଇନର ପାୱନ ସଚଦେବାଙ୍କ ପ୍ରସ୍ତୁତ ସେରୱାନି ପିନ୍ଧିବେ। ଶୁକ୍ରବାର ମେହେନ୍ଦି ସେଲିବ୍ରେସନ ହେବ। ଏନେଇ ବର ଓ କନ୍ୟା ସେମାନଙ୍କ ପରିବାର ଦିଲ୍ଲୀରୁ ବିମାନ ଯୋଗେ ଉଦୟପୁରରେ ପହଞ୍ଚିଛନ୍ତି। ଶନିବାର ସଙ୍ଗୀତ କାର୍ଯ୍ୟକ୍ରମ ଥିବାବେଳେ ସେଥିରେ ଯୋଗଦେବାକୁ ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଝିଅ ମାଲ୍‌ତୀ ମାରିଙ୍କ ସହ ଆମେରିକାରୁ ଶୁକ୍ରବାର ସାରେ ବାହାରି ସାରିଛନ୍ତି। ସଙ୍ଗୀତ ପାଇଁ ପ୍ରାୟ ୨୦୦ ଅତିଥିଙ୍କ ପାଇଁ ହୋଟେଲ ଲୀଲା ପ୍ୟାଲେସରେ ରହଣିର ବ୍ୟବସ୍ଥା କରାଯାଇଛି। ବରଯାତ୍ରୀଙ୍କୁ ରାଜସ୍ଥାନୀ ସଂସ୍କୃତି ଓ ପରମ୍ପରାରେ ସ୍ବାଗତ କରାଯିବ। ବିବାହ ମଣ୍ଡପକୁ ସଜାଇବା ଲାଗି କଲିକତା ଓ ଦିଲ୍ଲୀରୁ ସ୍ବତନ୍ତ୍ର ଧରଣର ଧଳା ରଙ୍ଗର ଫୁଲ ମଗାଯାଇଛି। ପ୍ରୀତି ଭୋଜନରେ ବିଭିନ୍ନ ପ୍ରକାରର ପଞ୍ଜାବୀ ଓ ରାଜସ୍ଥାନୀ ବ୍ୟଞ୍ଜନ ପରଷାଯିବ। ବିବାହରେ କଡ଼ା ସୁରକ୍ଷା ପାଇଁ ୧୦୦ ପ୍ରାଇଭେଟ୍‌ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଏଥିସହ ପିଛୋଲା ହ୍ରଦରେ ୪/୫ଟି ବୋଟ୍‌ରେ ସିକ୍ୟୁରିଟିର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିବାହରେ ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ସାଙ୍ଗସାଥୀ ସେଲିବ୍ରିଟି ସାମିଲ ହେବେ। ସେଲିବ୍ରିଟିଙ୍କ ମଧ୍ୟରେ କିଆରା ଆଡଭାନୀ, କରୀନା କପୁର, ଅର୍ଜୁନ କପୁର, ଆୟୁଷମାନ ଖୁରାନା, ଅକ୍ଷୟ କୁମାରଙ୍କ ସମେତ ଅନେକ ବିବାହରେ ସାମିଲ ହେବେ। ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍‌, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମଧ୍ୟ ସାମିଲ ହେବେ।

Share