ଭାସ୍କର୍ଯ୍ୟ ଶିଳ୍ପୀ ଜଗତର ପିତାମହ ଥିଲେ ରଘୁନାଥ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ସୋମବାର ଏକାଡେମୀ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ରଘୁନାଥଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ରଘୁନାଥ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ଚାକିରୀ ଜୀବନ ଆରମ୍ଭ କରି ଓଡ଼ିଶାର ପାରମ୍ପରିକ ପ୍ରସ୍ତରକଳାକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ତାଙ୍କର ପ୍ରସ୍ତର ଶିଳ୍ପ କ୍ଷେତ୍ରରେ ଉତ୍କୃଷ୍ଟ କୃତି ନିମନ୍ତେ ସେ ଓଡ଼ିଶା ଲଳିତ କଳା ଏକାଡେମୀରୁ ରାଜ୍ୟ ପୁରସ୍କାର ଓ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ପାଇଥିଲେ। ସେହିପରି ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି ମହାନ ବ୍ୟକ୍ତିଙ୍କ ବିୟୋଗରେ ଓଡ଼ିଶା ଭାସ୍କର୍ଯ୍ୟ ଶିଳ୍ପୀ ଜଗତର ପିତାମହ ଭୀଷ୍ମ ଭାବେ ପରିଚିତ ଜଣେ ଉଚ୍ଚକୋଟୀର ଶିଳ୍ପୀଙ୍କୁ ହରାଇଛି ବୋଲି ଶିଳ୍ପୀ ଓ କଳାପ୍ରେମୀ ମତ ପ୍ରକାଶ କରିଛନ୍ତି। ସଭାରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଉପନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ ଉପସ୍ଥିତ ରହି ଶ୍ର୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Share