ଶିଳ୍ପୀ ଜାତି ପାଇଁ ପ୍ରେରଣା ରହିବେ ରଘୁନାଥ

ଭୁବନେଶ୍ୱର, ୧୦।୫(ବ୍ୟୁରୋ):ରାଜ୍ୟ ସଭା ସଦସ୍ୟ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗ ରାଜ୍ୟର ସମଗ୍ର ଶିଳ୍ପୀକୁଳଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଶିଳ୍ପ କଳା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲା ଶିଳ୍ପୀ ରଘୁନାଥଙ୍କ ଜୀବନ। ଉଭୟ ମୂର୍ତ୍ତି ଓ ମନ୍ଦିର ଗଢିବାରେ ସେ ଥିଲେ ସୁଦକ୍ଷ ବିନ୍ଧାଣୀ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିିନର ସୁଦୁଶ୍ୟ କୋଣାର୍କ ଘୋଡାଠୁ ଆରମ୍ଭ କରି ଗଞ୍ଜାମର ତାରାତାରିଣୀ ମନ୍ଦିର ଯାଏ ଅନେକ ସୁନ୍ଦର କୀର୍ତ୍ତିରାଜି ଆଜି ବି ଅନେକଙ୍କୁ ବିମୋହିତ କରେ। ଜଣେ କଳା ଶିକ୍ଷକ ଭାବେ ତାଙ୍କ ନିକଟରୁ ପ୍ରସ୍ତରକଳାର ସୁକ୍ଷ୍ମ କାରୁକାର୍ଯ୍ୟ ଶିଖି ଅନେକେ ଆଜି ନିଜକୁ ଶିଳ୍ପୀ ଭାବେ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ସେ ସବୁଦିନ ଏ ଶିଳ୍ପୀ ଜାତି ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଥିବେ। ତାଙ୍କ ଦେହାନ୍ତରେ ରାଜ୍ୟ ଜଣେ ସୁନାମଧନ୍ୟ ଶିଳ୍ପୀଗୁରୁଙ୍କୁ ହରାଇଛି ବୋଲି ଶିଳ୍ପୀ ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘର ମୁଖ୍ୟ ଉପଦେଷ୍ଟା ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ସଭାପତି ଉଦୟ ମହାନ୍ତି, ସମ୍ପାଦକ ପ୍ରିୟରଞ୍ଜନ କର, ଉପସଭାପତି ଶରତ ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Share