Categories: ଜାତୀୟ

ପୂର୍ବତନ କେନ୍ଦ୍ରମନ୍ତୀ ରଘୁବଂଶ ପ୍ରସାଦ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ରବିବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ପରଲୋକ ହୋଇଛି । କିଛିଦିନ ହେବ ସେ ଚିକିତ୍ସତ ହେଉଥିବା ବେଳେ ଶନିବାର ସେ ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିକଟରେ ସେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ରୁ ଇସ୍ତଫା ଦେଇ ଆସିଥିଲେ ଚର୍ଚ୍ଚାକୁ । ବିହାରର ବୈଶାଳୀ ଆସନରୁ ଏମ୍‌ପି ଥିବା ରଘୁବଂଶଙ୍କ ଜନ୍ମ ୧୯୪୬ରେ ବୈଶାଳୀର ଶାହପୁରରେ ହୋଇଥିଲା । ସେ ବିହାର ବିଶ୍ୱବିଦ୍ୟାଳୟରୁ ଗଣିତରେ ଡକ୍ଟରେଟ ଡିଗ୍ରୀ କରିଥିଲେ । ଯୁବାବସ୍ଥାରେ ସେ ଲୋକନାୟକ ଜୟପକାଶ ନାରାୟଣଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୭୩ରେ ତାଙ୍କୁ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ସଚିବ ନିର୍ବାଚିତ କରାଯାଇଥିଲା । ୧୯୭୭-୧୯୯୦ ପର୍ଯ୍ୟନ୍ତ ସେ ବିହାର ରାଜ୍ୟସଭାର ସଦସ୍ୟ ଥିଲେ । ୧୯୭୭-୧୯୭୯ ପର୍ଯ୍ୟନ୍ତ ସେ ବିହାରର ଶକ୍ତିମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାପରେ ତାଙ୍କୁ ଲୋକଦଳର ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିଲା । ୧୯୯୦ରେ ସେ ବିହାର ବିଧାନସଭାର ସହାୟକ ସ୍ପିକର ଦାୟିତ୍ୱ ନେଇଥିଲେ । ୧୯୯୬ରେ ସେ ପ୍ରଥମଥର ପାଇଁ ଲୋକ ସଭା ସଦସ୍ୟ ମନୋନୀତ ହୋଇଥିଲେ । ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ୧୦ ସେପ୍ଟେମ୍ବରରେ ସେ ଆର୍‌ଜେଡିରୁ ଇସ୍ତଫା ଦେଇ ଲାଲୁ ପ୍ରସାଦ ଯାଦବଙ୍କୁ କ୍ଷମା ମାଗିନେଇଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଚିଠି ଲେଖି ଯେଉଁ କାମ ସେ କରି ପାରି ନାହାନ୍ତି ତାକୁ ପୂରା କରିବାକୁ ନୀତୀଶଙ୍କୁ ଅନୁରୋଧ କରିଥିଲେ ।

Share