ନର୍ସିଂ କଲେଜରେ ରାଗିଂ : ସିନିୟର, ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ

ଭବାନୀପାଟଣା,୧।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କାମଠଣାଠାରେ ଥିବା ନର୍ସିଂ କଲେଜରେ ରାଗିଂ ଅଭିଯୋଗକୁ ନେଇ ସିନିୟର ଓ ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ କିଛିଦିନ ହେଲା କଲେଜର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରୀଛାତ୍ର ରାଗିଂ କରୁଥିବା ନେଇ ପ୍ରଥମବର୍ଷ ଛାତ୍ରୀଛାତ୍ର କଲେଜ ଅଧ୍ୟକ୍ଷା ରଞ୍ଜିତା ବେଉରାଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଧ୍ୟକ୍ଷା ବେଉରା ସେମାନଙ୍କ ଅଭିଯୋଗ ପତ୍ରକୁ ଜିଲାପାଳଙ୍କୁ ପାଖକୁ ପଠାଇ ଦେଇଥିଲେ। ହେଲେ ଶନିବାର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରୀଛାତ୍ର ଏ ଅଭିଯୋଗକୁ ମିଛ କହିବା ସହ ଅଧ୍ୟକ୍ଷା ବେଉରା ସେମାନଙ୍କୁ ଅସଦାଚରଣ କରୁଥିବା ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଇଛନ୍ତି। ଏ ନେଇ ହଷ୍ଟେଲ କ୍ୟାମ୍ପସରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରିପାରି ନାହିଁ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷା ରଞ୍ଜିତା ବେଉରାଙ୍କୁ ପଚାରିବାରୁ ସିନିୟର ଛାତ୍ରୀଛାତ୍ର ସେମାନଙ୍କୁ ରାଗିଂ କରୁଥିବା ନେଇ ପ୍ରଥମ ବର୍ଷ ଛାତ୍ରୀଛାତ୍ର ମୋତେ ଅଭିଯୋଗ କରିଥିଲେ। ଏହାପରେ ହଷ୍ଟେଲ ସେକ୍ରେଟାରିଙ୍କୁ ଡାକି ଏ ବିଷୟରେ ପଚାରିଥିଲି, କିନ୍ତୁ ସେ ଏହାକୁ ଖଣ୍ଡନ କରିଥିଲେ ବୋଲି କହିଥିଲେ।