ମେଲବୋର୍ନ, ୨୫ା୧୨(ପି.ଟି.)- ସ୍ଥାନୀୟ ଏମ୍ସିଜି ଗ୍ରାଉଣ୍ଡରେ ଶନିବାରଠାରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବକ୍ସିଂ ଡେ’ ତଥା ଦ୍ୱିତୀୟ ଟେଷ୍ଟ। ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ମାଇଣ୍ଡ ଗେମ୍ ଚଳାଇଛି। ହେଲେ ଏ ନେଇ ଚିନ୍ତିତି ନୁହେଁ କାମଚଳା ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାନେ। ଅଷ୍ଟ୍ରେଲିଆ ମାଇଣ୍ଡ ଗେମ୍ ଖେଳିବାରେ ଧୂରନ୍ଧର। ଏହା ସମସ୍ତଙ୍କୁ ଜଣା ବୋଲି ରାହାନେ କହିଛନ୍ତି।
ଘରୋଇ ଦଳର କୋଚ୍ ଜଷ୍ଟିନ ଲାଙ୍ଗର ଗୁରୁବାର କହିଥିଲେ ଭାରତୀୟ ଦଳ ଯଦି ପ୍ରଥମ ଟେଷ୍ଟରେ ପରାଜୟଜନିତ ଗ୍ଳାନିରେ ରୁହେ ସେ ଖୁସି ହେବେ। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାନେ ଭାରତୀୟ ଦଳର ନେତୃତ୍ୱ ନେବେ। ନିର୍ଭରଯୋଗ୍ୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ରାହାନେ କହିଛନ୍ତି, ଆମ ସମସ୍ତଙ୍କୁ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ପରସ୍ପରକୁ ସହଯୋଗ କରିବାକୁ ହେବ। ଭାରତୀୟ ଦଳର ନେତୃତ୍ୱ ନେବା ଲାଗି ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ ମନେକରୁଛି। କିନ୍ତୁ ମୁଁ ଚାପରେ ରହିବାକୁ ଚାହେଁ ନାହିଁ। କୋହଲି ଭାରତ ଫେରିବା ପୂର୍ବରୁ ନିର୍ଭୟରେ ଖେଳିବା ଲାଗି ଆମକୁ ପରାମର୍ଶ ଦେଇ ଯାଇଛନ୍ତି।