Categories: ଜାତୀୟ

ଲକ୍ଷ୍ମୀପୁର ହିଂସା: ମୃତକ ଖବରଦାତା, କୃଷକଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା-ରାହୁଲ

ଲକ୍ଷ୍ନୌ,୭ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରିର ତିକୁନିୟାରେ ଅକ୍ଟାବର ୩ରେ ହୋଇଥିବା ହିଂସା ପରେ ରାଜନୀତି ହୋଇଛି ସରଗରମ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ବିଳମ୍ବିତ ରାତିରେ ମୃତକ ଖବରଦାତା ରମଣ କଶ୍ୟପ ଓ କୃଷକଙ୍କ ପରିବାରଙ୍କୁ ଭେଟି ସମବେଦନା ପ୍ରକାଶ କରିଛନ୍ତି । ଏମାନଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବି ସେଠାରେ ପହଞ୍ଚିଥିଲେ । ମୃତକଙ୍କ ପରିବାରକୁ ଭେଟିବା ପରେ ରାହୁଲ ଟୁଇଟ୍ କରି କହିଛନ୍ତି ମୃତକଙ୍କ ପରିବାର ଏବେ ନ୍ୟାୟ ଚାହୁଁଛନ୍ତି ଓ ମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ହଟାଇ ଏମାନଙ୍କୁ ନ୍ୟାୟ ଦିଆଯାଉ । ଏହାପରେ କଂଗ୍ରେସ ନେତାମାନେ ସରଦାର ନଛତର ସିଂଙ୍କ ପରିବାରକୁ ଭେଟି ସମବେଦନା ପ୍ରକାଶ କରିଛନ୍ତି । ଏହାପରେ ରାହୁଲ କହିଛନ୍ତି ଶହୀଦ ନଛତର ସିଂଙ୍କ ପରିବାର ଦୁଇ ପ୍ରକାର ଦୁଃଖରେ ପୀଡ଼ିତ । ପ୍ରଥମତଃ ନିଜ ପରିବାର ସଦସ୍ୟଙ୍କୁ ହରାଇବା ଏବଂ ଏହା ଉପରେ ସରକାରଙ୍କ ଜୁଲମ । ଏହି କ୍ରୁର ରାତିର ସକାଳ ନିଶ୍ଚୟ ହେବ ବୋଲି ରାହୁଲ କହିଛନ୍ତି ।

Share