Categories: ଜାତୀୟ

ୟୁପି ରାଜନୀତିଠାରୁ ଦୂରରେ ରାହୁଲ…

ନୂଆଦିଲ୍ଲୀ,୫।୧୨: କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ଆମେଠି ଗସ୍ତରେ ଅଛନ୍ତି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି କିନ୍ତୁ ସେ ଆମେଠି ନୁହେଁ, ପ୍ରୟାଗରାଜରେ ରହିବେ। ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ (ୟୁପି) ଆସୁଛନ୍ତି କିନ୍ତୁ ଏହା ହେଉଛି ତାଙ୍କର ବ୍ୟକ୍ତିଗତ ଗସ୍ତ। ସେ ନେତାମାନଙ୍କୁ ସର୍ବସାଧାରଣରେ ଭେଟିବେ ନାହିଁ କିମ୍ବା ବୈଠକ କରିବେ ନାହିଁ ଅବା କୌଣସି ସାଂଗଠନିକସ୍ତରୀୟ ଆଲୋଚନା କରିବେ ନାହିଁ।

ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେ ଦୂରତା ବଜାୟ ରଖିବେ। ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଦାୟିତ୍ୱରେ ଅଛନ୍ତି। ରାହୁଲଙ୍କ ୟୁପି ଗସ୍ତ ନେଇ ଏକ ଆଲୋଚନା ହୋଇଥିଲା ଯେ ସେ ୟୁପି ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ଗସ୍ତ କରିପାରିବେ କିନ୍ତୁ ରାହୁଲ ଗାନ୍ଧୀ ଏହି ଯାତ୍ରା ସମୟରେ ରାଜନୈତିକ ଆଲୋଚନା କରିବେ ନାହିଁ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ୟୁପି ବିଧାନସଭା ନିର୍ବାଚନ ଠାରୁ ରାହୁଲଙ୍କ ଦୂରତା ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ରାମେଶ୍ୱର ପାଣ୍ଡେ କହିଛନ୍ତି ଯେ କଂଗ୍ରେସ ସଂଗଠନ ପ୍ରିୟଙ୍କାଙ୍କୁ ଏକ ପ୍ରଇ ହ୍ୟାଣ୍ଡ୍‌ ଦେଇଛି।

ଏଥିରେ କେହି କୌଣସି ହସ୍ତକ୍ଷେପ କରିବେ ନାହିଁ। ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସଂଗଠନ ଏହି ଅନୁମତି ଦେଇ ନାହିଁ। ଉଭୟ ରାହୁଲ ଏବଂ ପ୍ରିୟଙ୍କା ଦିଲ୍ଲୀରେ ପରାମର୍ଶ କରନ୍ତି। ଜାତୀୟ ରାଜନୀତିରେ ଉଭୟ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ୟୁପି ନିର୍ବାଚନ ଠାରୁ ଦୂରରେ ଅଛନ୍ତି। ପ୍ରକୃତ ପକ୍ଷେ ୟୁପିରେ ରାହୁଲ ଗାନ୍ଧୀ ଅନ୍ୟ ଏକ ଶକ୍ତି କେନ୍ଦ୍ର ହେବାକୁ ଚାହୁଁନାହାଁନ୍ତି।

ରମେଶ୍ୱର ପାଣ୍ଡେ କହିଛନ୍ତି ଯେ ପ୍ରିୟଙ୍କା ୟୁପିରେ କଂଗ୍ରେସକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ସେ ହେଉଛନ୍ତି ଶକ୍ତି କେନ୍ଦ୍ର। ଯଦି ଏଠାରେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ହୁଏ, ତେବେ ଅନ୍ୟ ଏକ ଦ୍ୱିତୀୟ ଶକ୍ତି କେନ୍ଦ୍ର ନିର୍ମାଣ ହେବ ଏବଂ ଏହା କେବଳ କଂଗ୍ରେସକୁ କ୍ଷତି ପହଞ୍ଚାଇବ। ସେଥିପାଇଁ ସଂଗଠନ ପ୍ରିୟଙ୍କାଙ୍କ ଉପରେ ସବୁକିଛି ଛାଡି ଦେଇଛି। ସେ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି, ଦଳ ଗଠନ କରୁଛନ୍ତି ଏବଂ ୟୁପି ନିର୍ବାଚନରେ ସେ ହେଉଛନ୍ତି ଏକମାତ୍ର ଚେହେରା। କଂଗ୍ରେସ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁନାହିଁ ବୋଲି ରାମେଶ୍ୱର ପାଣ୍ଡେ କହିଛନ୍ତି।

Share