Categories: ଜାତୀୟ

ରାହୁଲ-ବରୁଣ ଭେଟ, ରାଜନୈତିକସ୍ତରରେ କଳ୍ପନାଜଳ୍ପନା ଆରମ୍ଭ…

ନୂଆଦିଲ୍ଲୀ,୭।୧୧ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ତାଙ୍କ ସମ୍ପର୍କୀୟ ତଥା ଭାଜପା ଏମପି ବରୁଣ ଗାନ୍ଧୀଙ୍କ ସହ କିଛି ସମୟ ସାକ୍ଷାତ କରିଛନ୍ତି। ସୂତ୍ରରୁ ପ୍ରକାଶ ମଙ୍ଗଳବାର କେଦାରନାଥ ମନ୍ଦିରରେ ଦର୍ଶନ ସମୟରେ ଏହି ବାର୍ତ୍ତାଳାପ ହୋଇଥିଲା। ସାଧାରଣତଃ ଦୁଇ ଭାଇ ସର୍ବସାଧାରଣରେ କମ ସାକ୍ଷାତ କରୁଥିବା ଦେଖାଯାଏ ।

ଦେଶର ଏକ ପ୍ରମୁଖ ରାଜନୈତିକ ପରିବାରର ଦୁଇ ସମ୍ପର୍କୀୟଙ୍କ ସାକ୍ଷାତ ନେଇ ବରୁଣ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବରୁଣ ଗାନ୍ଧୀ ଏବଂ ମାନେକା ଗାନ୍ଧୀଙ୍କୁ ଗତ କିଛି ମାସ ମଧ୍ୟରେ ଭାଜପାର ପ୍ରମୁଖ ବୈଠକରେ ଦେଖିବାକୁ ମିଳି ନାହିଁ। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କ ମତ ଦଳଠାରୁ ଭିନ୍ନ ଥିଲା। ସୂତ୍ରରୁ ପ୍ରକାଶ ଯେ ଗାନ୍ଧୀ ପରିବାରର ଦୁଇ ସଦସ୍ୟ ମନ୍ଦିର ବାହାରେ କିଛି ସମୟ ସାକ୍ଷାତ କରି ପରସ୍ପରକୁ ଅଭିବାଦନ ଜଣାଇଥିଲେ।

ବରୁଣଙ୍କ ଝିଇ ଅନୁସୁୟାଙ୍କୁ ଭେଟି ରାହୁଲ ଗାନ୍ଧୀ ବହୁତ ଖୁସି ଥିଲେ। ଯଦିଓ ଦୁଇ ସମ୍ପର୍କୀୟ ଭାଇ ସାକ୍ଷାତ କରନ୍ତି ନାହିଁ, ତଥାପି ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି।

ରାହୁଲ ଗାନ୍ଧୀ ଗତ ତିନି ଦିନ ଧରି ଉତ୍ତରାଖଣ୍ଡର କେଦାରନାଥରେ ଥିବାବେଳେ ବରୁଣ ଗାନ୍ଧୀ ମଙ୍ଗଳବାର ତାଙ୍କ ପରିବାର ସହିତ କେଦାରନାଥ ପରିଦର୍ଶନ କରିଛନ୍ତି।

ଏହାପୂର୍ବରୁ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପଞ୍ଜାବରେ କହିଥିଲେ ମୁଁ ନିଶ୍ଚିତ ଭାବରେ ବରୁଣ ଗାନ୍ଧୀଙ୍କୁ ପ୍ରେମ ଏବଂ ଆଲିଙ୍ଗନ କରିପାରିବି, କିନ୍ତୁ ମୁଁ ତାଙ୍କ ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ।

Share