Categories: ଖେଳ

ଆଜି ପ୍ରେମିକାଙ୍କ ହାତ ଧରିବେ ଚହର

ନୂଆଦିଲ୍ଲୀ,୯।୩: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଯୁବ ଭାରତୀୟ କ୍ରିକେଟର ରାହୁଲ ଚହର। ଗୋଆରେ ପ୍ରେମିକା ତଥା ଫ୍ୟାଶନ ଡିଜାଇନର୍‌ ଈଶାନିଙ୍କ ହାତ ଧରିବେ ସେ। ବିବାହ ପୂର୍ବରୁ ରାହୁଲଙ୍କ ହଳଦୀ ଉତ୍ସବର ଫଟୋ ଭାଇରାଲ ହେବାରେ ଲାଗିଛି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ଶେୟାର କରିଛନ୍ତି।

୨୨ ବର୍ଷୀୟ ଏହି କ୍ରିକେଟର ୨୦୧୯ରେ ନିର୍ବନ୍ଧ କରିଥିଲେ। ହେଲେ କରୋନାକୁ ନେଇ କଟକଣା ଲାଗିଥିବାରୁ ସେ ବିବାହକୁ ସ୍ଥଗିତ ରଖିଥିଲେ। ଆଜି ସେମାନେ ବିବାହ କରିବା ପରେ ମାର୍ଚ୍ଚ ୧୨ରେ ଭୋଜି ଦେବେ।

ଏଯାଏ ରାହୁଲ ଭାରତ ପାଇଁ ୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ୭ ଉଇକେଟ ନେଇଛନ୍ତି। ଏହାଛଡ଼ା ସେ ଗୋଟିଏ ଦିନିକିଆ ଖେଳିଛନ୍ତି। ସେଥିରେ ତାଙ୍କୁ ୩ ଉଇକେଟ ମିଳିଛି।

୨୦୧୭ରେ ସେ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମେ ରାଇଜିଂ ପୁଣେ ସୁପରଜିଆଣ୍ଟ୍ସ ପକ୍ଷରୁ ଖେଳିଥିବା ବେଳେ ପରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା। ଆଗାମୀ ୨୦୨୨ ଆଇପିଏଲ୍‌ ଲାଗି ତାଙ୍କୁ ପଞ୍ଜାବ କିଙ୍ଗ୍ସ ଟିମ୍‌ ୫.୨୫ କୋଟି ଟଙ୍କାରେ କିଣିଛି। ଆଇପିଏଲରେ ରାହୁଲ ୪୨ ମ୍ୟାଚ୍‌ ଖେଳିଥିବା ବେଳେ ୪୩ ଉଇକେଟ ନେଇଛନ୍ତି।

Share