ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭାରତର ଏହି ପୂର୍ବତନ ଅଧିନାୟକ ଗତ ଦୁଇ ବର୍ଷ ଧରି ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭାବରେ କାମ କରିଆସୁଛନ୍ତି। ଏହି ଚୁକ୍ତିନାମା ଶେଷ ହେବା ପରେ ସେ ପୁଣିଥରେ ଏହି ପଦ ପାଇଁ ଆବେଦନ କରିଛନ୍ତି। ଖାଲି ପଦବୀ ପାଇଁ ବିସିସିଆଇ ପକ୍ଷରୁ ଲୋଡା ଯାଇଥିବା ଆବେଦନରେ ଦ୍ରାବିଡ ଏକମାତ୍ର ପ୍ରାର୍ଥୀ ବୋଲି ଜଣାପଡ଼ିଛି।
ଦ୍ରାବିଡ ଏନ୍ସିଏରେ ଚମତ୍କାର କାର୍ଯ୍ୟ କରିଛନ୍ତି। ତାଙ୍କ ଭଳି ଅନ୍ୟ କେହି ଏହି ପଦବୀ ପାଇଁ ଆବେଦନ କରିନାହାନ୍ତି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଆବେଦନ ସମୟସୀମା ବୃଦ୍ଧି କରଛି। ପ୍ରଥମେ ଏହାର ଅଗଷ୍ଟ ୧୫ ଯାଏ ଥିବା ବେଳେ ଏହାକୁ ଆଗକୁ ବଢ଼ାଯାଇଛି। ଦ୍ରାବିଡ ଆବେଦନ କରିସାରିଥିବାରୁ ଅନ୍ୟକେହି ଚୟନ ହେବାର ସମ୍ଭାବନା କମ୍। ଏହା କେବଳ ଔପଚାରିକତା ରହିବ ବୋଲି କୁହାଯାଉଛି।