Categories: ଖେଳ

ରୋହିତ ଶର୍ମାଙ୍କୁ ନେଇ ବଡ଼ ଖୁଲାସା କଲେ ଦ୍ରାବିଡ

ଲଣ୍ଡନ,୩୦।୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରୁ ବାଦ ପଡି ନାହାଁନ୍ତି। ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏହା ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏଜବାଷ୍ଟନରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟରୁ ରୋହିତଙ୍କୁ ବାଦ ଦିଆଯାଇଛି। ଏଥି ସହିତ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ତାଙ୍କ ସ୍ଥାନରେ ଅଧିନାୟକ କରାଯାଇଛି। କିନ୍ତୁ ଦ୍ରାବିଡ଼ ଏହି ସମସ୍ତ ରିପୋର୍ଟକୁ ଖାରଜ କରିଦେଇଛନ୍ତି। ରାହୁଲ ଦ୍ରାବିଡ କହିଛନ୍ତି, ରୋହିତ ଶର୍ମାଙ୍କୁ ଆମର ଡାକ୍ତରୀ ଦଳ ତଦାରଖ କରୁଛନ୍ତି। ସେ ଟେଷ୍ଟ ମ୍ୟାଚରୁ ବାଦ୍‌ ନାହାଁନ୍ତି। ତାଙ୍କର ଆରଟିପିସିଆର୍‌ ଆଜି ଏବଂ ଆସନ୍ତାକାଲି କରାଯିବ। ଖେଳିବାକୁ ଆମ ପାଖରେ ୩୬ ଘଣ୍ଟା ଅଛି, ତଥାପି ସମୟ ଅଛି।
ରୋହିତ ଶର୍ମା ନିକଟରେ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ସେ ଆଇସୋଲେସନରେ ଅଛନ୍ତି। ଭାରତୀୟ ଦଳ ଏଜବାଷ୍ଟନଠାରେ ଅଭ୍ୟାସ ଆରମ୍ଭ କରିଥିଲା। କିନ୍ତୁ ଅଧିନାୟକ ରୋହିତ ଏଥିରେ ଅଂଶଗ୍ରହଣ କରି ନ ଥିଲେ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଜୁଲାଇ ୧ ରୁ ୫ ପର୍ଯ୍ୟନ୍ତ ଏଜବାଷ୍ଟନ ଠାରେ ଖେଳାଯିବ। ଏହି ମ୍ୟାଚ ଗତ ବର୍ଷ ଅନୁଷ୍ଠିତ ଟେଷ୍ଟ ସିରିଜର ଏକ ଅଂଶ। ୨୦୨୧ ଅଗଷ୍ଟ-ସେପ୍ଟେମ୍ବର ଟିମ ଇଣ୍ଡିଆ ଇଂଲଣ୍ଡରେ ପାଞ୍ଚ ଟେଷ୍ଟ ସିରିଜ ଖେଳୁଥିଲା। ତା’ପରେ କରୋନା କାରଣରୁ ପଞ୍ଚମ ମ୍ୟାଚ ଅନୁଷ୍ଠିତ ହୋଇପାରି ନ ଥିଲା। ଚାରିଟି ଟେଷ୍ଟ ପାଇଁ ଭାରତ ୨-୧ରେ ଆଗୁଆ ରହିଛି।

Share