Advertisement
Categories: Home Leftଖେଳ

କୋହଲିଙ୍କ ବ୍ୟାଟିଂ ଉପରେ କାମ କରୁଛନ୍ତି ଡ୍ରାଭିଡ୍‌

ସେଞ୍ଚୁରିଆନ,୨୦।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ସେଞ୍ଚୁରିଆନଠାରେ ପୂର୍ବ ଦୁଇ ଦିନ ଭଳି ସୋମବାର ମଧ୍ୟ ନେଟ୍ସରେ ଝାଳ ବୁହାଇଛନ୍ତି ଭରତୀୟ ଦଳର ଖେଳାଳି। ଏହାର କିଛି ଫଟୋ ଶେୟାର କରିଛି ବିସିସିଆଇ। ଏକ ଫଟୋରେ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ସହ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ସମୟ ବିତାଉଥିବା ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ହେଲା କୋହଲି ରେଡ୍‌ ବଲ କ୍ରିକେଟରେ ସଂଘର୍ଷ କରୁଛନ୍ତି। ଏହା କାହାକୁ ଅଛୁପା ନାହିଁ। ଅନ୍ତିମ ୧୩ ଟେଷ୍ଟରେ ସେ ୨୬ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ଏହାସତ୍ତ୍ୱେ ତାଙ୍କ ଟେଷ୍ଟ କ୍ୟାରିୟରର ଆଭରେଜ ୫୦ରୁ ଊର୍ଦ୍ଧ୍ୱ ରହିଛି। ଅନ୍ତିମ ଥର କୋହଲି ୨୦୧୯ ଦିବାରାତ୍ର ବିପକ୍ଷ ଟେଷ୍ଟରେ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ସିନିୟର ବ୍ୟାଟର ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କୋହଲିଙ୍କ ଉପରେ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳର ସଫଳତା ନିର୍ଭର କରେ। ଏଭଳି ପରିସ୍ଥିତିରେ ପୂର୍ବତନ ଅଧିନାୟକ ଡ୍ରାଭିଡ୍‌ଙ୍କ ଟିପ୍ସ କୋହଲିଙ୍କ ବେଶ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।

ବିସିସିଆଇ ପକ୍ଷରୁ ଶେୟାର କରାଯାଇଥିବା ଫଟୋରେ ଭାରତୀୟ ପେସର ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଓ ଇଶାନ୍ତ ଶର୍ମା ନେଟ୍ସରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ରୋହିତଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ଯୁବ ପ୍ରିୟଙ୍କ ପାଞ୍ଚଲ ମଧ୍ୟ ନେଟ୍ସରେ ଉଇକେଟକିପର ରିଷଭ ପନ୍ତ ଓ ରିଦ୍ଦିମାନ ଶାହାଙ୍କ ସହ ଅଭ୍ୟାସ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ ବିନା ଦର୍ଶକରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel